Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MP Car Tragedy Odia Family Died ଉଜ୍ଜୈନରୁ ଆଶୀର୍ବାଦ ବଦଳରେ ଆସିଲା ମୃତ୍ୟୁ, ରାଧାଙ୍କ ଅଧୁରା ପ୍ରେମ କାହାଣୀରେ କାନ୍ଦୁଛି ଓଡ଼ିଶା

ସାତଜନ୍ମର ସାଥୀ ହେବାର ସ୍ୱପ୍ନ ଦେଖିଥିଲେ ରାଧା। ଖୁବଶୀଘ୍ର ତାଙ୍କ ହାତଗଣ୍ଠି ପଡ଼ିଥାନ୍ତା, ଆରମ୍ଭ ହୋଇଥାନ୍ତା ନୂଆ ସଂସାର। ନିଜ ବୈବାହିକ ଜୀବନର ମଙ୍ଗଳ କାମନା କରି ଉଜ୍ଜୈନ ମହାକାଳଙ୍କ ଦର୍ଶନ ପାଇଁ ପରିବାର ସହ ଯାଇଥିଲେ। ହେଲେ ଫେରିଲା ନାହିଁ ଆଶୀର୍ବାଦ, ଫେରିଲା ମୃତ୍ୟୁର ଖବର। ମଧ୍ୟପ୍ରଦେଶରେ ଦୁର୍ଘଟଣାରେ ଓଡ଼ିଆ ପରିବାରର ୭ ଜଣଙ୍କ ମୃତ୍ୟୁ ମଧ୍ୟରେ ରାଧାଙ୍କ ଅଧୁରା ପ୍ରେମ କାହାଣୀ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। ଜୟଦେବ ବିହାର ନିକଟରେ ରାଧାଙ୍କ ପାର୍ଥିବ ଶରୀର ଥିବା ଆମ୍ବୁଲାନ୍ସକୁ ଅପେକ୍ଷା କରି ରହିଥିଲେ ତାଙ୍କ ଭାବୀ ଜୀବନସାଥୀ।

ଯେଉଁ ହାତ ଧରି ରାଧା ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲିଥାନ୍ତେ, ସେହି ହାତରେ ହିଁ ତାଙ୍କ ନିର୍ଜୀବ ଶରୀରରେ ଶଙ୍ଖା ପିନ୍ଧାଇଥିଲେ ପ୍ରେମିକ। ରାଧାଙ୍କ ବନ୍ଦ ଆଖି ଓ ନିରବ ଶରୀର ଆଗରେ ତାଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ। ଯେଉଁ ମୁହୂର୍ତ୍ତ ଦୁହିଁଙ୍କ ବିବାହର ସାକ୍ଷୀ ହୋଇଥାନ୍ତା, ସେହି ମୁହୂର୍ତ୍ତ ପାଲଟିଗଲା ଅନ୍ତିମ ବିଦାୟରେ। ଏହି ଦୃଶ୍ୟ ଦେଖି ଉପସ୍ଥିତ ଲୋକଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ରାଧାଙ୍କ ସ୍ୱପ୍ନର ନୂଆ ସଂସାର ଆରମ୍ଭ ହେବା ପୂର୍ବରୁ ହିଁ ଅଧୁରା ରହିଗଲା।

ଜୀବନ କେତେ ଅନିଶ୍ଚିତ, ରାଧାଙ୍କ କାହାଣୀ ତାହାର ଏକ ଦୁଃଖଦ ଉଦାହରଣ। ଯେଉଁ ଆମ୍ବୁଲାନ୍ସରେ ତାଙ୍କ ପାର୍ଥିବ ଶରୀର ଫେରିଥିଲା, ସେହି ଆମ୍ବୁଲାନ୍ସ ହିଁ ଯେମିତି ତାଙ୍କ ଅଧୁରା ବିବାହର ନିରବ ସାକ୍ଷୀ ପାଲଟିଗଲା। ରାଧାଙ୍କ ପରିବାର ଓ ତାଙ୍କ ଭାବୀ ଜୀବନସାଥୀଙ୍କ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଶକ୍ତି ଦିଅନ୍ତୁ। ରାଧା ଆଉ ଫେରିବେ ନାହିଁ, କିନ୍ତୁ ତାଙ୍କ ଅଧୁରା ପ୍ରେମ ଓ ଅଧୁରା ବିବାହର ଏହି କାହାଣୀ ସବୁଦିନ ପାଇଁ ଏକ ଯନ୍ତ୍ରଣାଦାୟକ ସ୍ମୃତି ହୋଇ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ