Khordha School Holiday: ଆଜିଠାରୁ ୩ ଦିନ ସବୁ ସ୍କୁଲ ବନ୍ଦ, ବନ୍ଦ ରହିବ ଅଙ୍ଗନବାଡ଼ି
ଲଘୁଚାପ ଜନିତ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ୩ ଦିନ ପାଇଁ ବନ୍ଦ ରହିବ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହା ସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଏହି ୩ ଦିନ ବନ୍ଦ ରହିବ।
ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ ଅନୁସାରେ, ବର୍ଷାଜନିତ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଆଜି ପୂର୍ବ ନିର୍ଦ୍ଧାରିତ ଏନଆରଟିଏସ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ସ୍କୁଲ ବନ୍ଦ ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ।
ଏହି ସମୟରେ ବିଦ୍ୟାଳୟ କୋଠା ଓ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରସ୍ତୁତ ରଖିବା ସହ ୨୪ ଘଣ୍ଟା ସ୍କୁଲ ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶକୁ ତୁରନ୍ତ ଓ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

