Heavy Rain Alert: ପ୍ରବଳ ବର୍ଷା ଓ ପବନ ପାଇଁ ୫ ଜିଲ୍ଲାରେ ସ୍କୁଲ-ଅଙ୍ଗନୱାଡି ବନ୍ଦ
ଭୁବନେଶ୍ୱର: ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଓଡ଼ିଶାର ୫ଟି ଜିଲ୍ଲାରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଖୋର୍ଦ୍ଧା, ଜଗତସିଂହପୁର, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଏହି ନିଷ୍ପତ୍ତି ଲାଗୁ ହୋଇଛି। ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ନିର୍ଦ୍ଦେଶ ଅନୁଯାୟୀ, ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ସହ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ତେବେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଆବଶ୍ୟକ ସମୟରେ ବିଦ୍ୟାଳୟ କୋଠା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସମ୍ଭାବ୍ୟ ବର୍ଷା ଓ ପବନ ଯୋଗୁଁ ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶୂନ୍ୟ ମୃତାହତ’ ନୀତି ଉପରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟଗୁଡ଼ିକୁ ୨୪ ଘଣ୍ଟା ପ୍ରସ୍ତୁତ ରଖିବା ପାଇଁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଖରାପ ପାଗ ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରଶାସନର ନିର୍ଦ୍ଦେଶ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି।

