Heavy Rain Alert: ୨୩-୨୪ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା, ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ
ଭୁବନେଶ୍ୱର: ଓଡ଼ିଶା ଉପରେ ପୁଣି ଘନାଇଲା ବର୍ଷା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେଇପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଶାଖାପାଟଣା ନିକଟରେ ଏହା ସ୍ଥଳଭାଗକୁ ପ୍ରବେଶ କରିପାରେ। ଏହାର ପ୍ରଭାବରେ ୨୨ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବା ସହ ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଗଞ୍ଜାମ, ଗଜପତି ଓ କୋରାପୁଟ ପାଇଁ ୨୩ ତାରିଖରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନେକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ରହିଛି।
୨୨ ତାରିଖରେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧାର କିଛି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବା ସହ ୨୪ ତାରିଖରେ ମଧ୍ୟ ଅନେକ ଦକ୍ଷିଣ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ୨୫ ତାରିଖରୁ ବର୍ଷାର ପ୍ରଭାବ ଦକ୍ଷିଣରୁ ପଶ୍ଚିମ ଓଡ଼ିଶା ଆଡ଼କୁ ବଢ଼ିପାରେ। ଲଗାଣ ବର୍ଷା ଯୋଗୁ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଭଳି ନଦୀରେ ଜଳସ୍ତର ବଢ଼ିବା ସହ ବନ୍ୟା ଆଶଙ୍କା ମଧ୍ୟ ରହିଛି। ତେବେ ବର୍ତ୍ତମାନ ବାତ୍ୟା ଆଶଙ୍କା ନଥିବା ବେଳେ ଅବପାତ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ସମ୍ଭାବ୍ୟ Heavy Rain ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଜୋରଦାର କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରିବା ସହ ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ ବିଶେଷଜ୍ଞଙ୍କ ମତରେ ୨୩ରୁ ୨୬ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିପାରେ। ଏପଟେ ଚାଷୀମାନଙ୍କୁ ଜମିରୁ ଅତିରିକ୍ତ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସହ ଏହି ସମୟରେ ସାର ପ୍ରୟୋଗ ନକରିବାକୁ ପରାମର୍ଶ ଦିଆଯାଇଛି।

