Assembly Session: ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନ; ବିରୋଧୀଙ୍କ ହଟ୍ଟଗୋଳରେ ସରଗରମ ହେଲା ଗୃହ, ଦିନ ୧ଟା ୧୦ଯାଏ ମୁଲତବି ଘୋଷଣା କଲେ ବାଚଷ୍ପତ୍ତି
ଭୁବନେଶ୍ୱର: ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଗରମ ହୋଇଛି ଓଡ଼ିଶା ବିଧାନସଭା। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଏବଂ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଦିବଙ୍ଗତ ନେତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ। ବିରୋଧୀ ଦଳ ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲେ। ପରେ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିଥିଲେ।
ତେବେ ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅଧିବେଶନ ଆରମ୍ଭ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଥିବା ନେଇ ଚର୍ଚ୍ଚା ହୋଇଥିଲା।
ସୂଚନା ଅନୁସାରେ, ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ MMDR ସଂଶୋଧନ ଆଇନ ସମେତ ବିଭିନ୍ନ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କ ଠାରୁ ଜବାବ ମାଗିବାକୁ ପ୍ରସ୍ତୁତ ଥିବା ବେଳେ, ସରକାର ମଧ୍ୟ ଗୃହରେ ଉଠୁଥିବା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

