Bhubaneswar New DCP: ଡା. ସର୍ବଣା ବିବେକ ଏମ୍ଙ୍କୁ ନୂଆ ଦାୟିତ୍ୱ, ବ୍ରହ୍ମପୁର SP ହେଲେ ଅଭିନବ ସୋନକର
ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡା. ସର୍ବଣା ବିବେକ ଏମ୍। ସେ ବର୍ତ୍ତମାନ ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ ହେବା ପରେ ତାଙ୍କ ସ୍ଥାନରେ ଡା. ବିବେକଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ମିଳିଛି। ତାମିଲନାଡୁର ଡା. ବିବେକ ପୁଡୁଚେରୀର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରୁ ଏମ୍ବିବିଏସ୍ ଶିକ୍ଷା ହାସଲ କରିବା ପରେ ସିଭିଲ୍ ସର୍ଭିସ୍ରେ ଯୋଗ ଦେଇଥିଲେ।
ଓଡ଼ିଶା ପୋଲିସ୍ରେ ଡା. ସର୍ବଣା ବିବେକ ଏମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ପ୍ରଶିକ୍ଷଣ ସମୟରେ ମାଲକାନଗିରିରେ ଏସ୍ଡିପିଓ ଭାବେ ଦାୟିତ୍ୱ ତୁଲାଇବା ପରେ ରାୟଗଡ଼ା ଓ କଳାହାଣ୍ଡି ଏସ୍ପି ଏବଂ ଭିଜିଲାନ୍ସ ଏସ୍ପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ପୋଲିସ୍ ଅବଜର୍ଭର ଭାବେ ମଧ୍ୟ ତାଙ୍କୁ ନିର୍ବାଚନ ଡ୍ୟୁଟି ମିଳିଥିଲା। ସାଇବର ଅପରାଧ ନିୟନ୍ତ୍ରଣ, ନିଶାବିରୋଧୀ ଅଭିଯାନ ଓ ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଉପରେ ତାଙ୍କର ଗୁରୁତ୍ୱ ରହିଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଆଇନଶୃଙ୍ଖଳା, ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା ତାଙ୍କ ନୂଆ ଦାୟିତ୍ୱର ପ୍ରମୁଖ ଅଂଶ ହେବ।
ଅନ୍ୟପକ୍ଷରେ ୨୦୧୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅଭିନବ ସୋନକରଙ୍କୁ ବ୍ରହ୍ମପୁରର ନୂଆ ଏସ୍ପି ଭାବେ ଦାୟିତ୍ୱ ମିଳିଛି। ସେ ପୂର୍ବରୁ ଢେଙ୍କାନାଳ ଏସ୍ପି ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସ୍ଥାନରେ ୨୦୨୨ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ମାନେ ଅଜିଙ୍କ୍ୟ ବାବୁରାଓ ଢେଙ୍କାନାଳ ଏସ୍ପି ହୋଇଛନ୍ତି। ସେ ପୂର୍ବରୁ ପାରାଦୀପର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ୨୦୨୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏ.ବି. ଶିଳ୍ପା ରାଜ୍ୟ ପୋଲିସ୍ ମୁଖ୍ୟାଳୟର ସହକାରୀ ଏସ୍ପି ପଦରୁ ବରଗଡ଼ର ଏସ୍ଡିପିଓ ଭାବେ ଦାୟିତ୍ୱ ନେବେ।

