Assembly Uproar: ପାଠ୍ୟପୁସ୍ତକ ତ୍ରୁଟି ଓ MMDR ପ୍ରସଙ୍ଗରେ ଶାସକ ଦଳକୁ ଘେରିଲେ ବିରୋଧୀ, ମାତ୍ର ୧୨ ମିନିଟ୍ ଚାଲିଲା ବିଧାନସଭା
ଭୁବନେଶ୍ଵର: ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବାଧାପ୍ରାପ୍ତ ହୋଇଛି ଗୃହକାର୍ଯ୍ୟ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମ୍ଏମ୍ଡିଆର୍ (MMDR) ସଂଶୋଧନ ବିଲ୍କୁ ନେଇ ଆଜି ପୁଣି ଗୃହରେ ତାତିଥିଲେ ବିରୋଧୀ ଦଳର ବିଧାୟକ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ପୋଷ୍ଟର, ବ୍ୟାନର ଓ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ବିଜେଡି ବିଧାୟକମାନେ ପୋଡିୟମ୍ ତଳେ ନାରାବାଜି କରିଥିଲେ। ପରେ ସେମାନେ ବିଧାନସଭା ବାହାରକୁ ଯାଇ ଲୋୟର ପିଏମ୍ଜିରେ ପ୍ରତିବାଦରେ ସାମିଲ ହୋଇଥିଲେ। ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ମାର୍ଗ ଆଡକୁ ଯିବାକୁ ଉଦ୍ୟମ କରିବା ବେଳେ ପୁଲିସ ଓ ବିଜେଡି ନେତା-କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ମଧ୍ୟ ପ୍ରତିବାଦ କରିଥିଲା।
ବିରୋଧୀ ବିଧାୟକମାନେ ଦେହରେ ପୋଷ୍ଟର ଝୁଲାଇ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିଥିଲେ। ଏପଟେ ବିଜେପି ଅଭିଯୋଗ କରିଛି ଯେ, ବିରୋଧୀମାନେ ଆଲୋଚନାରୁ ଦୂରେଇ ଯାଇ ବିଧାନସଭାକୁ ଅଚଳ କରୁଛନ୍ତି। ହଙ୍ଗାମା ଯୋଗୁଁ ଆଜି ପ୍ରଥମ ଓ ଦ୍ୱିତୀୟାର୍ଦ୍ଧ ମିଶାଇ ମାତ୍ର ୧୨ ମିନିଟ୍ ଗୃହକାର୍ଯ୍ୟ ଚାଲିଥିଲା। ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ମଧ୍ୟ ମାତ୍ର ୪୭ ମିନିଟ୍ ଚାଲିଥିଲା ବିଧାନସଭା କାର୍ଯ୍ୟ।

