Relationship News: ତିନି ଛୁଆଙ୍କୁ ଛାଡି, ଦୁଇ ଛୁଆର ବାପଙ୍କ ସହ ଫେରାର ହେଲା ମା’! ଥାନାରେ ମାମଲା
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇନ୍ତଳା ଥାନା ଅଞ୍ଚଳରେ ଜଣେ ତିନି ଛୁଆଙ୍କ ମା’ ଜଣେ ଦୁଇ ଛୁଆର ବାପଙ୍କ ସହ ଫେରାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ସ୍ୱାମୀ ସୁବାସ ଦେବଗୁରୁ ଥାନାରେ ଅଭିଯୋଗ କରିଛନ୍ତି। ସଇନ୍ତଳା ଥାନା ଆଦିବାସୀପଡ଼ାର ଏହି ମହିଳା ଗତ ସୋମବାର ଚପଲ କିଣିବା ପାଇଁ ବଜାରକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ଏହାପରେ ସେ ଟିଟିଲାଗଡ଼ ଥାନା ଅଞ୍ଚଳର ଟିମନଭାଡ଼ି ଗାଁର କ୍ରିଷ୍ଣା ମାଝିଙ୍କ ସହ ଚାଲିଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।
ପରିବାର ଲୋକେ ମହିଳାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିବା ଅଭିଯୋଗକାରୀ କହିଛନ୍ତି। ମହିଳାଙ୍କର ତିନି ଝିଅ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ବିବାହ ସରିଥିବା ଜଣାପଡ଼ିଛି। ସେହିପରି ଯେଉଁ ଯୁବକଙ୍କ ସହ ମହିଳା ଚାଲିଯାଇଥିବା ଅଭିଯୋଗ ହୋଇଛି, ତାଙ୍କର ମଧ୍ୟ ଦୁଇଟି ଛୁଆ ଥିବା କୁହାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆଲୋଚନା ହେଉଛି।
ତେବେ ମହିଳା ଓ ଯୁବକଙ୍କ ମଧ୍ୟରେ ପୂର୍ବରୁ କୌଣସି ସମ୍ପର୍କ ଥିଲା କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତଦନ୍ତ ପରେ ମହିଳା କେଉଁଠାରେ ଅଛନ୍ତି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

