Social Security Pension: ଅକ୍ଟୋବର ସୁଦ୍ଧା ମିଳିବ ବକେୟା ଭତ୍ତା, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ସୂଚନା। ଅକ୍ଟୋବର ମାସ ସୁଦ୍ଧା ବକେୟା ଭତ୍ତା ସହ ନିୟମିତ ଭତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନା ଅଧୀନରେ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ଥିବା ଜଣାପଡ଼ିଛି।
ତେବେ ହିତାଧିକାରୀଙ୍କ ଏକ ଅଂଶଙ୍କୁ ଗତ ୪ ମାସ ଧରି ଭତ୍ତା ମିଳିନଥିବା ନେଇ ବିଧାନସଭାରେ ସୂଚନା ଦିଆଯାଇଛି। ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଦେଖାଦେଇଥିବା ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଥିବା କୁହାଯାଇଛି। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର, ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରୀ ମଧ୍ୟରେ ସମନ୍ୱୟ ରଖି ପଦକ୍ଷେପ ନିଆଯାଉଛି।
ବକେୟା ଭତ୍ତା ପ୍ରଦାନ ସହ ଆଗକୁ ନିୟମିତ ଭାବେ ଭତ୍ତା ମିଳିବା ନେଇ ପ୍ରକ୍ରିୟା ଜାରି ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ସୁଦ୍ଧା ବକେୟା ଟଙ୍କା ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏହା ଫଳରେ ଭତ୍ତା ପାଇବାରେ ବିଳମ୍ବ ହେଉଥିବା ହିତାଧିକାରୀମାନେ ଶୀଘ୍ର ନିଜର ବକେୟା ଟଙ୍କା ପାଇବାର ଆଶା କରିପାରିବେ।

