New Bhubaneswar DCP: ସର୍ବଣା ବିବେକ ଏମ୍.ଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ! ଭୁବନେଶ୍ୱରରେ ନୂତନ DCP ଭାବେ ଯୋଗ ଦେଲେ
ଭୁବନେଶ୍ୱର: ଭୁବନେଶ୍ୱରର ନୂଆ ଡେପୁଟି କମିଶନର ଅଫ୍ ପୁଲିସ୍ (DCP) ଭାବେ ୨୦୧୫ ବ୍ୟାଚ୍ର IPS ଅଧିକାରୀ ଡା. ସର୍ବଣା ବିବେକ ଏମ୍. ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ରହ୍ମପୁର SP ଭାବେ କାର୍ଯ୍ୟରତ ଥିବା ସର୍ବଣା ବିବେକଙ୍କୁ ନିକଟରେ ହୋଇଥିବା IPS ଅଧିକାରୀଙ୍କ ବଦଳିରେ ଭୁବନେଶ୍ୱର DCP ଭାବେ ନିଯୁକ୍ତ କରାଯାଇଥିଲା।
ଭୁବନେଶ୍ୱରରେ ପହଞ୍ଚିବା ପରେ ସର୍ବଣା ବିବେକ ପ୍ରଥମେ ପୁଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହାପରେ DCP କାର୍ଯ୍ୟାଳୟରେ ପହଞ୍ଚି ଔପଚାରିକ ଭାବେ ନୂଆ ଦାୟିତ୍ୱ ନେଇଛନ୍ତି। ନୂଆ ଦାୟିତ୍ୱ ସମ୍ପର୍କରେ ସେ ପ୍ରଭାବଶାଳୀ ପୁଲିସିଂ, ଆଇନଶୃଙ୍ଖଳା ଏବଂ ଜନସାଧାରଣଙ୍କ ସହଯୋଗ ଉପରେ ଗୁରୁତ୍ୱ ଦେବା କଥା କହିଛନ୍ତି।
ସର୍ବଣା ବିବେକଙ୍କ ନିଯୁକ୍ତି ପରେ ଭୁବନେଶ୍ୱର DCP ପଦରେ ଚାଲିଥିବା ଖାଲି ପଦବୀର ଅବସାନ ଘଟିଛି। ପୂର୍ବତନ DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ସେପ୍ଟେମ୍ବର ୧୧ରୁ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟ ସରକାର ସର୍ବଣା ବିବେକଙ୍କୁ ଭୁବନେଶ୍ୱରର ନୂଆ DCP ଭାବେ ନିଯୁକ୍ତ କରିଛନ୍ତି।

