Odisha Train Cancelled: ଲଗାଣ ବର୍ଷାରେ ଭୂସ୍ଖଳନ, ୪ଟି ଟ୍ରେନ୍ ବାତିଲ; ଅନେକ ଟ୍ରେନ୍ର ବଦଳିଲା ଗତିପଥ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ହେବା ପରେ ରେଳ ସେବା ପ୍ରଭାବିତ ହୋଇଛି। ମାଲିଗୁଡ଼ା ଓ ଛତରିପୁଟ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ମାଟି ଓ ପଥର ପଡ଼ିଥିବାରୁ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳ ନିୟନ୍ତ୍ରଣ କରାଯାଇଛି। ଏହା ସହ ମରାମତି ଓ ଟ୍ରାକ୍ ସଫା କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଅନ୍ୟ କିଛି ଟ୍ରେନ୍କୁ କୋରାପୁଟରେ ସାମୟିକ ଭାବେ ଅଟକାଯାଇଛି କିମ୍ବା ସେଠାରୁ ଚଳାଚଳ କରାଯାଉଛି।
ସେପ୍ଟେମ୍ବର ୨୫ ତାରିଖ ପାଇଁ ୫୮୫୦୨ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର, ୫୮୫୦୧ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର, ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଏବଂ ୧୮୫୧୫ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ ବାତିଲ ରହିଛି। ଏହାଛଡ଼ା ହାୱଡ଼ା-ଜଗଦଲପୁର, ଜଗଦଲପୁର-ହାୱଡ଼ା, ରାଉରକେଲା-ଜଗଦଲପୁର ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ସମେତ ଅନ୍ୟ କିଛି ଟ୍ରେନ୍ର ଚଳାଚଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ବିଶେଷକରି ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଏବଂ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ସେବା କୋରାପୁଟ ପର୍ଯ୍ୟନ୍ତ ସୀମିତ କରାଯାଇଛି। ଜଗଦଲପୁର-କୋରାପୁଟ ଅଂଶରେ ଏହି ଟ୍ରେନ୍ଗୁଡ଼ିକର ସେବା ବାତିଲ ରହିବ। ରେଳ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ମରାମତି କାମ ଚାଲିଥିବାରୁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି।

