MMDR Amendment: ଆଜି ଲୋୟର PMGରେ ବିଜେଡିର ମେଗା ପ୍ରତିବାଦ, ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର: MMDR ଆମେଣ୍ଡମେଣ୍ଟ ଆକ୍ଟକୁ ନେଇ ବିଜେଡିର ବିଶାଳ ସମାବେଶ! MMDR ଆମେଣ୍ଡମେଣ୍ଟ ଆକ୍ଟ ବିରୁଦ୍ଧରେ ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରର ଲୋୟର PMGରେ ଆନ୍ଦୋଳନ ପାଇଁ ଦଳ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା | ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି। ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ନୂଆ ଆଇନ ରାଜ୍ୟର ଖଣି ଓ ଖଣିଜ ସମ୍ପଦ ଉପରେ ଅଧିକାର ସହ ରାଜସ୍ୱ ସ୍ୱାର୍ଥକୁ ପ୍ରଭାବିତ କରିପାରେ।
ସେପଟେ MMDR ଆଇନକୁ ନେଇ ବିଧାନସଭାରେ ମଧ୍ୟ ବିରୋଧ ଜାରି ରହିଛି। ବିଜେଡି ଓ କଂଗ୍ରେସ ବିଧାୟକମାନେ ଆଇନ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଥିବାରୁ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଛି। ଲୋୟର PMGରେ ସମାବେଶ ପରେ ବିଧାନସଭା ଅଭିମୁଖେ ମାର୍ଚ୍ଚ କରିବା ନେଇ ମଧ୍ୟ ଦଳ ପକ୍ଷରୁ କାର୍ଯ୍ୟକ୍ରମ ରହିଛି। ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଲୋୟର PMGରୁ ବିଧାନସଭା ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
MMDR ଆମେଣ୍ଡମେଣ୍ଟ ଆକ୍ଟକୁ ନେଇ ବିଜେଡି ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ପ୍ରତିବାଦ କରିଛି। ସେପ୍ଟେମ୍ବର ୯ରେ ଦଳ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲା। ଏହାପରେ ବିଧାନସଭାରେ ମଧ୍ୟ ଆଇନ ପ୍ରତ୍ୟାହାର ଦାବିରେ ବିରୋଧ ଜାରି ରହିଛି। ଏବେ ଲୋୟର PMGରେ ହେଉଥିବା ମେଗା ପ୍ରତିବାଦ ପରେ ବିଜେଡିର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

