Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mahanadi Flood Alert: ମୁଣ୍ଡୁଳିରେ ବଢୁଛି ବନ୍ୟା ଜଳ, କଟକ-ପୁରୀ ସମେତ ୪ ଜିଲ୍ଲାକୁ ବନ୍ୟା ଆଶଙ୍କା!

କଟକ: ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେଉଛି। ମୁଣ୍ଡୁଳି ଦେଇ ପାଣିର ପ୍ରବାହ ଲଗାତାର ବଢ଼ୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏଠାରେ ସର୍ବାଧିକ ଜଳ ପ୍ରବାହ ରେକର୍ଡ ହେବାର ଆକଳନ କରାଯାଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ଅନୁସାରେ, ଦିନ ୧୨ଟା ସମୟରେ ମୁଣ୍ଡୁଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଆଗାମୀ ସମୟରେ ଏହା ବଢ଼ି ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିବାର ସମ୍ଭାବନା ରହିଛି।

ଏପଟେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଉ ଦୁଇଟି ଗେଟ୍‌ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୩୦ଟି ଗେଟ୍‌ ଦେଇ ପାଣି ଛଡ଼ାଯାଉଛି। ହୀରାକୁଦର ଜଳସ୍ତର ୬୨୯ ଫୁଟ୍‌ ଥିବା ବେଳେ ପ୍ରତି ସେକେଣ୍ଡରେ ପ୍ରାୟ ୬ ଲକ୍ଷ ୩୬ ହଜାର କ୍ୟୁସେକ୍‌ ପାଣି ପ୍ରବେଶ କରୁଛି। ସେହିପରି ପ୍ରାୟ ୫ ଲକ୍ଷ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ମୁଣ୍ଡୁଳିରେ ଜଳ ପ୍ରବାହ ବଢ଼ିଲେ ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଓ କାଠଯୋଡ଼ି ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇପାରେ।

ବନ୍ୟାଜଳ ବଢ଼ିବାର ସମ୍ଭାବନା ଥିବାରୁ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି। ପୁରୀର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳରେ ବନ୍ୟା ପ୍ରଭାବର ଆଶଙ୍କା ରହିଛି। ଆଠଗଡ଼ର କିଛି ଅଞ୍ଚଳରେ ମଧ୍ୟ ପାଣି ପ୍ରବେଶ କରିଥିବା ସୂଚନା ମିଳିଛି। ତେବେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତିରେ କିଛିଟା ସୁଧାର ଦେଖାଦେଇଛି। ସୁବର୍ଣ୍ଣରେଖାର ରାଜଘାଟ, ବୁଢ଼ାବଳଙ୍ଗ, ମଥାନୀ ଏବଂ ବୈତରଣୀ ନଦୀରେ ଜଳସ୍ତର ହ୍ରାସ ପାଇଥିବାରୁ ସେଠାରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories