Mahanadi Water Dispute: ଅକ୍ଟୋବର ୧ରେ ‘ମହାନଦୀ ଜଳ ବିବାଦ ବୈଠକ’, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା
ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ହେବାକୁ ଥିବା ସୂଚନା ମିଳିଛି। ବୈଠକରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଏବଂ ବିବାଦର ସମାଧାନ ପାଇଁ ସମ୍ଭାବ୍ୟ ମାର୍ଗ ଖୋଜିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ଜଣାପଡ଼ିଛି। ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି।
ବର୍ତ୍ତମାନ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧୀନରେ ବୈଷୟିକ ଆଲୋଚନା ଚାଲିଛି। ଉଭୟ ରାଜ୍ୟର ପ୍ରତିନିଧିଙ୍କୁ ନେଇ ଗଠିତ ବୈଷୟିକ କମିଟି ଜଳ ଉପଲବ୍ଧତା, ବ୍ୟବହାର ଓ ଦୁଇ ରାଜ୍ୟର ଆବଶ୍ୟକତା ସମ୍ପର୍କିତ ତଥ୍ୟ ଉପରେ ଆଲୋଚନା କରୁଛି। ଅକ୍ଟୋବର ୧ର ବୈଠକରେ ଏହି ବୈଷୟିକ ଆଲୋଚନାର ଅଗ୍ରଗତି ସହ ଦୁଇ ରାଜ୍ୟ ମଧ୍ୟରେ ସହମତିର ସମ୍ଭାବ୍ୟ କ୍ଷେତ୍ର ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ।
ଅନ୍ୟପକ୍ଷରେ, ମହାନଦୀ ଜଳ ବିବାଦର ଆଇନଗତ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଅକ୍ଟୋବର ୧୫ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାରୁ, ତାହା ପୂର୍ବରୁ ଅକ୍ଟୋବର ୧ର ବୈଠକ ଗୁରୁତ୍ୱ ବହନ କରୁଛି। ତେବେ ଏପର୍ଯ୍ୟନ୍ତ ଜଳ ବଣ୍ଟନ ନେଇ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ। ତେଣୁ ଅକ୍ଟୋବର ୧ର ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆଲୋଚନା କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି।

