ChatGPT Lawsuit: ଔଷଧ କମାଇବାକୁ ଚାଟ୍ବଟ୍ର ପରାମର୍ଶ ଅଭିଯୋଗ, ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ପରେ OpenAI ବିରୋଧରେ ମାମଲା
ନୂଆଦିଲ୍ଲୀ: ଆମେରିକାରେ ChatGPTର ପରାମର୍ଶକୁ ନେଇ OpenAI ବିରୋଧରେ ଏକ ମାମଲା ରୁଜୁ ହୋଇଛି। ୩୧ ବର୍ଷୀୟା ବୋଏନ୍ ୱାନ୍ଙ୍କ ମୃତ୍ୟୁ ପରେ ତାଙ୍କ ମାତାପିତା କମ୍ପାନୀ ଓ ଏହାର CEO ସାମ୍ ଅଲ୍ଟମ୍ୟାନ୍ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଦାବି ଅନୁସାରେ, ମୃତ୍ୟୁ ପୂର୍ବରୁ ୱାନ୍ ଅପସ୍ମାର ରୋଗ ପାଇଁ ନେଉଥିବା ଔଷଧ କମାଇବା ଓ ବନ୍ଦ କରିବା ସମ୍ପର୍କରେ ChatGPTର ସହାୟତା ନେଇଥିଲେ। ଏହି ପରାମର୍ଶ ଡାକ୍ତରଙ୍କ ନିରୀକ୍ଷଣ ବିନା ଔଷଧର ମାତ୍ରା ବଦଳାଇବାକୁ ଉତ୍ସାହିତ କରିଥିବା ପରିବାର ଅଭିଯୋଗ କରିଛି। ୱାନ୍ ପୂର୍ବରୁ Amazonରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ ଏବଂ ସିଆଟଲ୍ରେ ରହୁଥିଲେ।
ମାମଲାରେ ଦାଖଲ ଅଭିଯୋଗ ଓ ଚାଟ୍ ରେକର୍ଡକୁ ଆଧାର କରି ପ୍ରକାଶିତ ରିପୋର୍ଟ ଅନୁସାରେ, ଚାକିରି ସମ୍ପର୍କିତ ଚିନ୍ତା ଏବଂ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ କଥା କହିବାରେ ସମସ୍ୟା ହେଉଥିବା ଆଶଙ୍କାରୁ ୱାନ୍ ଔଷଧର ମାତ୍ରା କମାଇବା ବିଷୟରେ ChatGPTକୁ ପଚାରିଥିଲେ। ଚାଟ୍ବଟ୍ ତାଙ୍କୁ ଔଷଧ କମାଇବାର ଏକ ଯୋଜନା ଦେଇଥିବା ଏବଂ ଡାକ୍ତରଙ୍କଠାରୁ ଏହି ପରିବର୍ତ୍ତନ ଲୁଚାଇବାକୁ କହିଥିବା ପରିବାର ଅଭିଯୋଗ କରିଛି। ଔଷଧ କମାଇବା ପରେ ୱାନ୍ଙ୍କଠାରେ ଦ୍ୱନ୍ଦ୍ୱ, ସ୍ମୃତି ସମସ୍ୟା ଓ ସମ୍ଭାବ୍ୟ ସିଜର୍ ସମ୍ପର୍କିତ ଲକ୍ଷଣ ଦେଖାଦେଇଥିଲେ ମଧ୍ୟ ChatGPT ସେଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ସତର୍କ ସଙ୍କେତ ଭାବେ ନେଇନଥିବା ଅଭିଯୋଗ ରହିଛି। ଫେବ୍ରୁଆରୀ ୧୪, ୨୦୨୬ରେ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଥିଲା। ରିପୋର୍ଟ ଅନୁସାରେ, ତାଙ୍କ ମୃତ୍ୟୁର କାରଣ ଅପସ୍ମାର ସହ ଜଡ଼ିତ ଆକସ୍ମିକ ମୃତ୍ୟୁ (SUDEP) ବୋଲି ଦର୍ଶାଯାଇଛି। ଔଷଧ କମାଇବା ଓ ଚାଟ୍ବଟ୍ର ପରାମର୍ଶ ମୃତ୍ୟୁରେ ଭୂମିକା ନେଇଥିବା ପରିବାର ଦାବି କରିଛି; ତେବେ ଏହି ଅଭିଯୋଗ ଏଯାଏଁ ଅଦାଲତରେ ପ୍ରମାଣିତ ହୋଇନାହିଁ।
ଅନ୍ୟପଟେ, OpenAI ପକ୍ଷରୁ ଏହି ଘଟଣାକୁ ଦୁଃଖଦ ବୋଲି କହିବା ସହ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଯାଇଛି। କମ୍ପାନୀ କହିଛି ଯେ, ୱାନ୍ ChatGPTର ପୂର୍ବତନ GPT-4o ମଡେଲ୍ ବ୍ୟବହାର କରୁଥିଲେ, ଯାହା ଏବେ ଗ୍ରାହକଙ୍କ ପାଇଁ ଉପଲବ୍ଧ ନାହିଁ। ସମ୍ବେଦନଶୀଳ ପରିସ୍ଥିତିରେ AIର ପ୍ରତିକ୍ରିୟାକୁ ଉନ୍ନତ କରିବା ପାଇଁ ଡାକ୍ତର ଓ ବିଶେଷଜ୍ଞଙ୍କ ସହ କାମ ଜାରି ରହିଥିବା ମଧ୍ୟ କମ୍ପାନୀ କହିଛି। ଏହି ମାମଲା AI ଚାଟ୍ବଟ୍ ଉପରେ ଲୋକଙ୍କ ନିର୍ଭରଶୀଳତା, ବିଶେଷକରି ଔଷଧ ଓ ଚିକିତ୍ସା ସମ୍ପର୍କିତ ନିଷ୍ପତ୍ତିରେ ସୁରକ୍ଷା ବ୍ୟବସ୍ଥା ଏବଂ ଟେକ୍ନୋଲୋଜି କମ୍ପାନୀଙ୍କ ଦାୟିତ୍ୱକୁ ନେଇ ନୂଆ ପ୍ରଶ୍ନ ଉଠାଇଛି।

