ମୁରିବାହାଲରେ ମର୍ମନ୍ତୁଦ କାର୍ ଦୁର୍ଘଟଣା: ନିମ୍ନମାନର ରାସ୍ତା କାମ ଯୋଗୁଁ ଘଟୁଛି ଦୁର୍ଘଟଣା, ଥାନାରେ ଲିଖିତ ଅଭିଯୋଗ ।
ବଲାଙ୍ଗୀର,୩୦।୧୦: ମୁରିବାହାଲ-ବଲାଙ୍ଗୀର ସଂଯୋଗକାରୀ ମୁଖ୍ୟ ରାସ୍ତାରେ ଆଜି ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣା ଘଟିଯାଇଛି। ତ୍ରୀଖୁଟୀ ଛକ ଏବଂ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ମଧ୍ୟବର୍ତ୍ତୀ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ଦୁଇ ଆହତ ଯାତ୍ରୀ। ତେବେ ଏହି ଦୁର୍ଘଟଣା କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ନିର୍ମାଣଧୀନ ରାସ୍ତାର ଅତ୍ୟନ୍ତ ନିମ୍ନମାନର କାମ ଏବଂ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଆଜି ନିରୀହ ଜୀବନ ବିପଦରେ ପଡ଼ିଥିବା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ‘OD 03 T 5094’ ନମ୍ବର ବିଶିଷ୍ଟ କାର୍ଟି ଗୁଡିଘାଟ ପଟୁ ମୁରିବାହାଲ ଅଭିମୁଖେ ଆସୁଥିଲା। ତ୍ରୀଖୁଟୀ ଛକ ନିକଟରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରାସ୍ତା ପାର୍ଶ୍ୱରେ ଥିବା ବନବିଭାଗର ବାଉଣ୍ଡରୀ ଖାଲ ଓ ଷ୍ଟ୍ରେଞ୍ଜ ପାର ହୋଇ କାର୍ଟି ପ୍ରାୟ ୧୫ ଫୁଟ୍ ଉଡ଼ିଯାଇ କଡ଼ରେ ଥିବା ଏକ ଗଛରେ ଜୋର୍ରେ ପିଟିହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଏୟାରବ୍ୟାଗ୍ (Airbag) ଫାଟିଯିବା ସହ କାର୍ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି।
ଦୁର୍ଘଟଣାର ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗାଡ଼ିର ଲକ୍ ଭାଙ୍ଗି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଆହତମାନଙ୍କୁ ନିଜସ୍ୱ ବାଇକ୍ ଯୋଗେ ଆଶୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
ଦୁର୍ଘଟଣା ସମ୍ପର୍କରେ କାର୍ ଚାଳକ ସୁଶୀଲ ଜୈନ ପ୍ରକାଶ କରିଛନ୍ତି ଯେ, “ରାସ୍ତାରେ ବ୍ରେକ୍ ମାରିବାକୁ ଯିବାରୁ ଗାଡ଼ିଟି ହଠାତ୍ ସ୍ଲିପ୍ ହୋଇଗଲା ଏବଂ ମୁଁ ନର୍ଭସ ହୋଇପଡ଼ିଥିଲି।” ଏହି ଦୁର୍ଘଟଣାରେ ଚାଳକଙ୍କ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣକ ମୁଣ୍ଡରେ ଗଭୀର ଆଘାତ ଲାଗି ୩ରୁ ୪ଟି ଷ୍ଟିଚ୍ ପଡ଼ିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁରିବାହାଲ ବିକାଶ ମଞ୍ଚର ସଭାପତି ଫାଲଗୁନୀ ହାତୀ ଏବଂ ଅଞ୍ଚଳବାସୀ ଦୃଢ଼ ଅଭିଯୋଗ କରିଛନ୍ତି ଯେ, ଏହି ରାସ୍ତା ନିର୍ମାଣ କାମ ସରକାରୀ ନୀତିନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଅତି ନିମ୍ନମାନର କରାଯାଇଛି।
ରାସ୍ତାରୁ ପିଚୁ ସବୁ ଛାଡ଼ିଯାଇ ଚାରିଆଡ଼େ ବିଛାଇ ହୋଇପଡ଼ିଛି ଏବଂ କେବଳ ମାଟି ଦୃଶ୍ୟମାନ ହେଉଥିବାରୁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ବାରମ୍ବାର ସ୍ଲିପ୍ କରୁଛି। ଗାଡ଼ିଚାଳକମାନେ ଜରୁରୀକାଳୀନ ପରିସ୍ଥିତିରେ ବ୍ରେକ୍ ମାରିବା ସତ୍ତ୍ୱେ ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଗାଡ଼ି ନିୟନ୍ତ୍ରଣକୁ ଆସୁନାହିଁ। ଏନେଇ ବିଭାଗୀୟ ଏସଡିଓ (SDO) ଏବଂ ଉଚ୍ଚାଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ହେଁ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ଯାହାକି ବିଭାଗୀୟ ବାଦସାହି ଓ ଦୁର୍ନୀତିର ସ୍ପଷ୍ଟ ପ୍ରମାଣ ଦେଉଛି।
ଜନସାଧାରଣଙ୍କ ଜୀବନ ସହ ଏଭଳି ଖେଳ ଏବଂ ନିମ୍ନମାନର କାମକୁ ଆଉ ବରଦାଷ୍ଟ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମୁରିବାହାଲ ବିକାଶ ମଞ୍ଚର ସଭାପତି ଫାଲଗୁନୀ ହାତୀ। ଏହି ଘଟଣାର ଦାୟିତ୍ୱ ନେଇ ରାସ୍ତା ନିର୍ମାଣ କରୁଥିବା ଦାୟିତ୍ୱହୀନ ଠିକା ସଂସ୍ଥା ଏବଂ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ମୁରିବାହାଲ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଘଟଣାସ୍ଥଳରେ ମୁରିବାହାଲ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ଆଗାମୀ ଦିନରେ ଯଦି ଏହି ଠିକାଦାର ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

