SpiceJet Flight: ମୁମ୍ବାଇରୁ ଗୋରଖପୁର ଯିବାକୁ ବିମାନରେ ବସିଥିଲେ ଯାତ୍ରୀ, ଶେଷ ମୁହୂର୍ତ୍ତରେ ଫ୍ଲାଇଟ୍ ବାତିଲ; ବିମାନବନ୍ଦରରେ ହଙ୍ଗାମା
ମୁମ୍ବାଇ: ମୁମ୍ବାଇରୁ ଗୋରଖପୁର ଯାଉଥିବା SpiceJet ବିମାନ ଶେଷ ମୁହୂର୍ତ୍ତରେ ବାତିଲ ହେବାରୁ ଶହ ଶହ ଯାତ୍ରୀ ବିମାନବନ୍ଦରରେ ଫସି ରହିଥିଲେ। ଏହାକୁ ନେଇ ବିମାନବନ୍ଦରରେ ଅସନ୍ତୋଷ ଓ ବିଶୃଙ୍ଖଳାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବିମାନ ଉଡ଼ାଣ କରିପାରିବ ନାହିଁ ଯଦି, ତେବେ ଯାତ୍ରୀଙ୍କୁ ବୋର୍ଡିଂ ପାଇଁ କାହିଁକି ଅନୁମତି ଦିଆଗଲା ବୋଲି ଅନେକ ଯାତ୍ରୀ ପ୍ରଶ୍ନ କରିଥିଲେ।
ଏହି ଅଚାନକ ବାତିଲ ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିବା ବେଳେ ବିମାନବନ୍ଦରରେ କିଛି ଛୋଟ ପିଲା କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ବିମାନ ବାତିଲ ହେବାର କାରଣ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ଏନେଇ SpiceJet ପକ୍ଷରୁ କୁହାଯାଇଛି ଯେ, ଗୋରଖପୁର ବିମାନବନ୍ଦରରେ ବିମାନ ଚଳାଚଳ ପାଇଁ ନିର୍ଦ୍ଧାରିତ ସମୟସୀମା ଥିବାରୁ ଏହି ଉଡ଼ାଣ ବାତିଲ କରିବାକୁ ପଡ଼ିଥିଲା। ପ୍ରଭାବିତ ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସ ପକ୍ଷରୁ ଏକ ଅତିରିକ୍ତ ବିମାନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

