Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UP Free LPG Cylinder: ଦୀପାବଳି ଓ ହୋଲିରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ବାଣ୍ଟିବେ ଯୋଗୀ ସରକାର, ୧.୮୯ କୋଟି ପରିବାର ହେବେ ଉପକୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାରେ ସାମିଲ ଯୋଗ୍ୟ ପରିବାରଗୁଡ଼ିକୁ ଦୀପାବଳି ଓ ହୋଲି ଅବସରରେ ଗୋଟିଏ ଲେଖାଏଁ ମାଗଣା LPG ସିଲିଣ୍ଡର ଦିଆଯିବ। ମଙ୍ଗଳବାର ୧.୮୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ରିଫିଲ୍‌ ସବ୍‌ସିଡି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୧,୫୦୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି, ଗୋଟିଏ ଘରୋଇ LPG ସିଲିଣ୍ଡରର ଦାମ୍‌ ୯୮୩.୪୫ ଟଙ୍କା ଥିବାବେଳେ କେନ୍ଦ୍ର ସରକାର ୩୩୫ ଟଙ୍କା ସବ୍‌ସିଡି ଦେଉଛନ୍ତି। ଫଳରେ ହିତାଧିକାରୀଙ୍କୁ ୬୪୮.୫୫ ଟଙ୍କା ଦେବାକୁ ପଡ଼ୁଛି। ଏହି ଖର୍ଚ୍ଚରୁ ଗରିବ ପରିବାରଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦୀପାବଳି ଓ ହୋଲିରେ ଗୋଟିଏ ଲେଖାଏଁ ସିଲିଣ୍ଡର ମାଗଣାରେ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏହାଦ୍ୱାରା ସଞ୍ଚୟ ହେଉଥିବା ଟଙ୍କାରେ ପରିବାର ଦୀପାବଳି ପାଇଁ ମିଠା ଓ ଦୀପ କିଣିପାରିବେ ବୋଲି ସେ କହିଛନ୍ତି।

ଏହାସହ କଂଗ୍ରେସ ସରକାର ସମୟରେ ଗ୍ୟାସ୍‌ ସଂଯୋଗ ପାଇବାକୁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା ବୋଲି ଯୋଗୀ ଦାବି କରିଛନ୍ତି। ଅନ୍ୟପଟେ, ନଭେମ୍ବର ୭ରେ ଅଯୋଧ୍ୟାରେ ହେବାକୁ ଥିବା ଦୀପୋତ୍ସବକୁ ସାମାଜିକ ଏକତାର ପ୍ରତୀକ ବୋଲି ସେ କହିଛନ୍ତି। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଜାତିଗତ ଭେଦଭାବ ଦୂର କରି ସମସ୍ତ ବର୍ଗର ଲୋକଙ୍କୁ ଏକାଠି କରୁଛି ବୋଲି ସେ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଦୀପୋତ୍ସବ ପ୍ରସ୍ତୁତିର ସମୀକ୍ଷା ପାଇଁ ସେ ଅଯୋଧ୍ୟା ଗସ୍ତ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories