Cuttack Land Dispute: ୮୦୦ କୋଟିର ଜମି ଉପରେ ଦାବି ଖାରଜ, ୪୩ ବର୍ଷ ପରେ ସରକାରଙ୍କୁ ମିଳିଲା ବଡ଼ ବିଜୟ
କଟକ: କଟକରେ ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୬୨.୭୨ ଏକର ସରକାରୀ ଜମି ଉପରେ ବ୍ୟକ୍ତିଗତ ମାଲିକାନା ଦାବିକୁ ଖାରଜ କରିଛନ୍ତି ରାଜସ୍ୱ ପର୍ଷଦ। ଏହା ସହ ୪୩ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଅନ୍ତ ଘଟିଛି। ଜଗତପୁର ଗୋଲେଇଛକ ନିକଟ ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ତରୋଳ ମୌଜାର ଏହି ଜମିକୁ ସରକାରୀ ଖାତାରେ ପୂର୍ବଭଳି ରଖିବାକୁ ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୩, ୨୦୨୬ରେ ଦିଆଯାଇଥିବା ରାୟରେ ଆବେଦନକାରୀଙ୍କ ଦଲିଲ ଜମି ଉପରେ ଆଇନଗତ ମାଲିକାନା ପ୍ରମାଣ କରିପାରିନଥିବା କୁହାଯାଇଛି।
ଆବେଦନକାରୀମାନେ ୧୯୪୫ ମସିହାର ଏକ ପଞ୍ଜୀକୃତ ଲିଜ୍ ଦଲିଲ ଆଧାରରେ ଜମି ଉପରେ ଅଧିକାର ଦାବି କରିଥିଲେ। କିନ୍ତୁ ରାଜସ୍ୱ ପର୍ଷଦ ୧୯୦୫ ମସିହାର ଇଚ୍ଛାପତ୍ର ସମେତ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ଜମିଦାରଙ୍କ ବିଧବାଙ୍କର କେବଳ ଜମି ଉପଭୋଗ କରିବାର ଅଧିକାର ଥିଲା। ଜମିର ସ୍ଥାୟୀ ମାଲିକାନା ହସ୍ତାନ୍ତର କରିବାର ଅଧିକାର ତାଙ୍କର ନଥିଲା। ସେହିପରି ପୁରୁଣା ପଟ୍ଟା, ଜମାବନ୍ଦୀ ଓ ଖଜଣା ରସିଦ ମାଲିକାନାର ପ୍ରମାଣ ନୁହେଁ ବୋଲି ପର୍ଷଦ ସ୍ପଷ୍ଟ କରିଛନ୍ତି। ୧୯୫୪ ମସିହାରେ ଜମିଦାରୀ ଉଚ୍ଛେଦ ପରେ ଏହି ଜମି ସରକାରଙ୍କ ଅଧୀନକୁ ଆସିଥିଲା। ଜମିଦାରୀ ଉଚ୍ଛେଦ ପୂର୍ବରୁ ଜମିରେ ଚାଷ କିମ୍ବା ଦଖଲରେ ଥିବା ନେଇ ମଧ୍ୟ ଆବେଦନକାରୀମାନେ ଠୋସ୍ ପ୍ରମାଣ ଦେଇପାରିନଥିଲେ।
୧୯୮୩ ମସିହାରୁ ଚାଲିଥିବା ଏହି ମାମଲା ବିଭିନ୍ନ ରାଜସ୍ୱ ଅଦାଲତ ଦେଇ ଗତି କରିଥିଲା। ୨୦୨୨ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆବେଦନକାରୀମାନେ ପୁଣି ରାଜସ୍ୱ ପର୍ଷଦରେ ଆବେଦନ କରିଥିଲେ। ସମସ୍ତ ଦଲିଲ ଓ ରାଜସ୍ୱ ରେକର୍ଡ ଯାଞ୍ଚ ପରେ ଏହାକୁ ଖାରଜ କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଏହି ୬୨.୭୨ ଏକର ଜମିକୁ ‘ଆବାଦଯୋଗ୍ୟ ଅନାବାଦୀ’ ଭାବେ ସରକାରୀ ଖାତାରେ କାଏମ ରଖିବେ। ରାୟ ପରେ କଟକ ଜିଲ୍ଲାପାଳ ଜମିକୁ ନିଜ ଦଖଲକୁ ନେଇଥିବା ସୂଚନା ମିଳିଛି। ଏହି ଜମି ଭବିଷ୍ୟତରେ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟରେ ଲାଗିପାରିବ।

