Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vigilance Raid: ଭିଜିଲାନ୍ସ ହାତରେ ସବ୍‌-ରେଜିଷ୍ଟ୍ରାର୍‌! ଚାକିରିକୁ ମାତ୍ର ୨ ବର୍ଷ ପୁରିଥିବା ବେଳେ ୭ ହଜାର ଲାଞ୍ଚ ନେଇ ଜେଲ୍ ଗଲେ

ଭୁବନେଶ୍ୱର: ଜମି ବିକ୍ରି କବଲା ପଞ୍ଜୀକରଣ କରିବା ପାଇଁ ଜଣେ ଜମି କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସବ୍‌-ରେଜିଷ୍ଟ୍ରାର୍ ମନୀଷା ମିଶ୍ର। ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଜମିର କିସମ ‘ବାଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡଭୁକ୍ତ ଥିଲା। ରାଜସ୍ୱ ବିଭାଗର ନିୟମ ଅନୁସାରେ ଏହାକୁ ସ୍ଥିତିବାନ ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ। ତଥାପି ଜମି ପଞ୍ଜୀକରଣ ପାଇଁ ମନୀଷା ପ୍ରଥମେ ୧୦ ହଜାର ଟଙ୍କା ଦାବି କରିଥିଲେ। ପରେ ଏହାକୁ ୭ ହଜାର ଟଙ୍କାକୁ କମାଇଥିବା ଅଭିଯୋଗ ହୋଇଛି।

ଲାଞ୍ଚ ଦେବାକୁ ରାଜି ନଥିବା ଜମି କ୍ରେତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଜାଲ ବିଛାଇଥିଲା। ମନୀଷା ୭ ହଜାର ଟଙ୍କା ଗ୍ରହଣ କରିବା ସମୟରେ ତାଙ୍କୁ ଧରିଥିଲା ଟିମ୍। ତାଙ୍କ ନିକଟରୁ ଲାଞ୍ଚ ଟଙ୍କାର ପୂରା ୭ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ମନୀଷାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ପରେ ମନୀଷା ମିଶ୍ରଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ତାଙ୍କୁ ଚାକିରିରେ ଯୋଗ ଦେବାର ମାତ୍ର ଦୁଇ ବର୍ଷ ହୋଇଥିଲା। ସେ ଏବେ ମଧ୍ୟ ପ୍ରୋବେସନ୍‌ରେ ଥିଲେ। ସ୍ଥାୟୀ ନିଯୁକ୍ତି ପାଇବା ପୂର୍ବରୁ ଲାଞ୍ଚ ମାମଲାରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ