NASA Moon Mission: ଚନ୍ଦ୍ରରେ ମଣିଷଙ୍କ ସ୍ଥାୟୀ ବସତି ପାଇଁ ବଡ଼ ଯୋଜନା, SpaceX ସମେତ ୮ କମ୍ପାନୀକୁ ଦାୟିତ୍ୱ!
ନୂଆଦିଲ୍ଲୀ: ଚନ୍ଦ୍ରରେ ମଣିଷଙ୍କ ସ୍ଥାୟୀ ଉପସ୍ଥିତି ପାଇଁ ବଡ଼ ଯୋଜନା କରୁଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା NASA। ଏଥିପାଇଁ SpaceX ଏବଂ Blue Origin ସମେତ ୮ଟି ମହାକାଶ କମ୍ପାନୀକୁ ଚୟନ କରିଛି NASA। ଏହି କମ୍ପାନୀଗୁଡ଼ିକ ଚନ୍ଦ୍ରକୁ ସାମଗ୍ରୀ ପହଞ୍ଚାଇବା ପାଇଁ ୧୦ ବର୍ଷ ମଧ୍ୟରେ ୧୦ ବିଲିୟନ ଡଲାର ପର୍ଯ୍ୟନ୍ତ ଚୁକ୍ତି ହାସଲ କରିବାକୁ ପରସ୍ପର ସହ ପ୍ରତିଯୋଗିତା କରିବେ।
ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ମଣିଷଙ୍କ ଦୀର୍ଘକାଳୀନ ରହଣି ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିବା। ଏଥିପାଇଁ ଚନ୍ଦ୍ରକୁ ବିଭିନ୍ନ ଉପକରଣ, ଯନ୍ତ୍ରପାତି ଓ ଆବଶ୍ୟକ ସାମଗ୍ରୀ ପଠାଯିବ। ଏହା ଫଳରେ ଭବିଷ୍ୟତରେ ମହାକାଶଚାରୀମାନେ ଚନ୍ଦ୍ରରେ ଦୀର୍ଘ ସମୟ ଧରି ରହି କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ।

