US-Iran War: ଇରାନ ବିରୋଧରେ ସାମରିକ ଅଭିଯାନ ପ୍ରାୟ ଶେଷ କହିଲେ ଟ୍ରମ୍ପ! ଶାନ୍ତି ଆଲୋଚନାକୁ ନେଇ ବଢ଼ିଲା ଆଶା
ନୂଆଦିଲ୍ଲୀ: ଇରାନକୁ ନେଇ ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନର ସଙ୍କେତ ମିଳିଛି। ଇରାନରେ ଆମେରିକାର ସାମରିକ ଅଭିଯାନ ପ୍ରାୟ ଶେଷ ହୋଇସାରିଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ସାମରିକ ଦୃଷ୍ଟିକୋଣରୁ ଇରାନ ପ୍ରାୟତଃ ଶେଷ ହୋଇଯାଇଛି ଏବଂ ଏବେ ଆମେରିକା କେବଳ ପୂର୍ବ ସ୍ଥିତି ବଜାୟ ରଖିଛି। ଟ୍ରମ୍ପଙ୍କ ଏହି ବୟାନ ପରେ ଇରାନ ବିରୋଧରେ ଆମେରିକା ଆଉ ବଡ଼ ସାମରିକ ଅଭିଯାନ ଚଳାଇବା ସମ୍ଭାବନା କମ୍ ଥିବା ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବା ନେଇ ସେ କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି। ଗତ ଜୁଲାଇରୁ ଆମେରିକା ଆର୍ଥିକ କଟକଣା, ନୌସେନା ଅବରୋଧ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷ୍ୟଭିତ୍ତିକ ଆକ୍ରମଣ ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଆସୁଛି।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପୂର୍ବରୁ କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦଙ୍କ ସହ ତାଙ୍କର ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱ ଦିଆଯାଉଛି। ଗତ ସପ୍ତାହରେ କତାର ମାଧ୍ୟମରେ ଇରାନ ଆମେରିକାକୁ ଏକ ନୂଆ ପରମାଣୁ ପ୍ରସ୍ତାବ ପଠାଇଥିବା କୁହାଯାଉଛି। ଏହି ପ୍ରସ୍ତାବ ସହ ତେହେରାନ ପକ୍ଷରୁ ସାତଟି ସର୍ତ୍ତ ରଖାଯାଇଥିବା ଖବର ମିଳିଛି। ଆମେରିକା ସର୍ତ୍ତଗୁଡ଼ିକ ପୂରଣ କଲେ ହିଁ ଆଲୋଚନା ଆଗକୁ ବଢ଼ିପାରିବ ବୋଲି ଇରାନର ଆଭିମୁଖ୍ୟ ରହିଛି।
ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥତା ପାଇଁ କତାର ସହ ପାକିସ୍ତାନ ମଧ୍ୟ ଉଦ୍ୟମ କରୁଛି। ଅନ୍ୟପଟେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିବା ପରେ ତାଙ୍କର ଏହି ବୟାନ ସାମ୍ନାକୁ ଆସିଛି। ନିର୍ବାଚନ ଫଳାଫଳ ପରେ ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ବୋଲି କୁହାଯାଉଛି। ତେବେ ଯୁଦ୍ଧର ଅନ୍ତ ହେବ କି ନାହିଁ, ତାହା ଆଗାମୀ କୂଟନୈତିକ ଆଲୋଚନା ଓ ଉଭୟ ଦେଶର ନିଷ୍ପତ୍ତି ଉପରେ ନିର୍ଭର କରିବ।

