Odisha-Japan Startup Partnership: ଜାପାନ ସହ ମିଶି ଷ୍ଟାର୍ଟଅପ୍ ବଢ଼ାଇବ ଓଡ଼ିଶା, ୨୦୨୯ ସୁଦ୍ଧା ୫ ହଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ
ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ କ୍ଷେତ୍ରକୁ ନୂଆ ଗତି ଦେବା ପାଇଁ ଜାପାନ ସହ ହାତ ମିଳାଇଛି ରାଜ୍ୟ। ଓଡ଼ିଶାର ‘ସଷ୍ଟେନେବିଲିଟି ଲିଡର’ ଏବଂ ଜାପାନର ‘ଓନ୍ ଷ୍ଟ୍ରକ୍ଚର’ ଷ୍ଟାର୍ଟଅପ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ଓଡ଼ିଶାର ଉଦ୍ୟୋଗୀମାନେ ଜାପାନର ବଜାର ଓ ଜ୍ଞାନକୌଶଳ ସହ ଯୋଡ଼ି ହୋଇପାରିବେ। ଏଥିସହ ତୋତ୍ତୋରୀ ପ୍ରଦେଶ ସହ ଓଡ଼ିଶା ସରକାରଙ୍କ ମଧ୍ୟରେ ମଧ୍ୟ ଷ୍ଟାର୍ଟଅପ୍ ସହଯୋଗ ପାଇଁ ଚୁକ୍ତି ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି।
ଏହି ଚୁକ୍ତି ଅନୁସାରେ ବ୍ୟବସାୟିକ ସହଯୋଗ, ଷ୍ଟାର୍ଟଅପ୍ ଆଦାନପ୍ରଦାନ ଓ କର୍ମଶାଳା ଆୟୋଜନ କରାଯିବ। କୃଷି, ସ୍ୱାସ୍ଥ୍ୟ ଓ AI କ୍ଷେତ୍ରରେ ଜ୍ଞାନକୌଶଳ ବିନିମୟ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଉଭୟ ଦେଶର ଉଦ୍ୟୋଗୀ ପରସ୍ପରଙ୍କ ଅଞ୍ଚଳ ଗସ୍ତ କରିବେ।
ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୩ ହଜାର ଷ୍ଟାର୍ଟଅପ୍ ଥିବାବେଳେ ୨୦୨୯ ସୁଦ୍ଧା ଏହାକୁ ୫ ହଜାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ, ଷ୍ଟାର୍ଟଅପ୍ ରାଙ୍କିଂରେ ରାଜ୍ୟର ସ୍ଥାନ ହ୍ରାସ ପାଇବା ପ୍ରସଙ୍ଗରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୂର୍ବ ସରକାରଙ୍କ ସମୟରେ ଆବଶ୍ୟକ ଦସ୍ତାବିଜ ଦାଖଲ ହୋଇନଥିବା କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଜାତୀୟ ରାଙ୍କିଂରେ ଉନ୍ନତ ସ୍ଥାନ ହାସଲ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

