Sundargarh Missing Youth: ତିନି ଦିନ ଧରି ନିଖୋଜ ଥିବା ଧୀରଜଙ୍କ ମୃତଦେହ ନଦୀରୁ ଉଦ୍ଧାର, ହତ୍ୟା ପରେ ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ କଇତରା ଗାଁରେ ଏକ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଧୀରଜ ପାଣ୍ଡିଆ। ଗତ ୯ ତାରିଖରୁ ସେ ନିଖୋଜ ଥିଲେ। ତିନି ଦିନ ପରେ ଗୁରୁବାର ତାଙ୍କ ମୃତଦେହ ନଦୀରୁ ମିଳିଛି।
ସୂଚନା ଅନୁସାରେ, ଧୀରଜ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରିନଥିଲେ। ତାଙ୍କୁ ଖୋଜାଖୋଜି କରିବା ସମୟରେ ପୋଲିସ ନଦୀ କୂଳରୁ କିଛି ରକ୍ତ ନମୁନା ପାଇଥିଲା। ଏହାପରେ ତାଙ୍କ ମୃତଦେହ ନଦୀରୁ ମିଳିବା ପରେ ହତ୍ୟା କରି ତାଙ୍କୁ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ ବଢ଼ିଛି।
ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଧୀରଜଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରି ତାଙ୍କୁ ହତ୍ୟା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ଦାବି କରିଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

