Rapido-Uber Bike: ରାଜ୍ୟରେ ବନ୍ଦ ହୋଇପାରେ ରାପିଡୋ ଓ ଉବେର ବାଇକ୍ ସେବା, ୧୫ ଦିନର ମହଲତ ଦେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ରାଜ୍ୟରେ ରାପିଡୋ ଓ ଉବେରର ବାଇକ୍ ଟ୍ୟାକ୍ସି ସେବାକୁ ନେଇ ବଡ଼ ପଦକ୍ଷେପ ନେଇଛି କ୍ରାଇମବ୍ରାଞ୍ଚ। ଏହି ଦୁଇ କମ୍ପାନି ଜରିଆରେ ଯାତ୍ରୀ ପରିବହନରେ ବ୍ୟବହାର ହେଉଥିବା ଘରୋଇ ନମ୍ବର ପ୍ଲେଟ୍ ଥିବା ଦୁଇଚକିଆ ଗାଡ଼ିର ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଭୟ କମ୍ପାନିର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।
ମୋଟର ଯାନ ଆଇନର ଉଲ୍ଲଂଘନ କରି ଘରୋଇ ଗାଡ଼ିକୁ ବାଣିଜ୍ୟିକ ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବା ଦର୍ଶାଇ ଏହି ନିର୍ଦ୍ଦେଶ ଦିଆଯାଇଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଏପରି ବାଇକ୍ ସେବା ବନ୍ଦ କରିବା ସହ ଏନେଇ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ନିର୍ଦ୍ଦେଶ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି।
ତେବେ ଏହି ନିର୍ଦ୍ଦେଶ କେବଳ ଘରୋଇ ନମ୍ବର ପ୍ଲେଟ୍ ଥିବା ବାଇକ୍ ଟ୍ୟାକ୍ସି ସେବା ପାଇଁ ଲାଗୁ ହେବ। ରାପିଡୋ ଓ ଉବେରର କାର୍ ଏବଂ ଅଟୋ ସେବା ପୂର୍ବଭଳି ଜାରି ରହିପାରିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ନିର୍ଦ୍ଦେଶ ପାଳନ ହେଲେ ରାଜ୍ୟରେ ଉଭୟ କମ୍ପାନିର ବାଇକ୍ ଟ୍ୟାକ୍ସି ସେବା ପ୍ରଭାବିତ ହେବ।

