Hyderabad Food Safety: KFC ଓ Domino’sର ୯ଟି ଆଉଟଲେଟ୍ର ଲାଇସେନ୍ସ ନିଲମ୍ବିତ, ଖାଦ୍ୟରେ ଅସ୍ୱଚ୍ଛତା ଓ ବାସି ଖାଦ୍ୟ ମିଳିବା ଅଭିଯୋଗ
ହାଇଦ୍ରାବାଦ: ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ ତେଲେଙ୍ଗାନାର ଖାଦ୍ୟ ସୁରକ୍ଷା ବିଭାଗର TG SAFE ଟିମ୍ ପକ୍ଷରୁ ହାଇଦ୍ରାବାଦର ବିଭିନ୍ନ ଫାଷ୍ଟଫୁଡ୍ ଆଉଟଲେଟ୍ ଓ ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଛି। ଏହି ଅଭିଯାନରେ KFC ଓ Domino’sର ମୋଟ ୨୬ଟି ଆଉଟଲେଟ୍ ଯାଞ୍ଚ ହୋଇଥିବା ବେଳେ ୯ଟି ଶାଖାର FSSAI ଲାଇସେନ୍ସ ନିଲମ୍ବିତ କରାଯାଇଛି। ଏଥିରେ KFCର ୭ଟି ଓ Domino’sର ୨ଟି ଆଉଟଲେଟ୍ ରହିଛି। ଯାଞ୍ଚ ସମୟରେ ରୋଷେଇ ଘରେ ଅସ୍ୱଚ୍ଛତା, ଅସରପା, ମୂଷାଙ୍କ ମଳ, ଅବଧି ଶେଷ ହୋଇଥିବା ଖାଦ୍ୟ ଏବଂ ବ୍ୟବହୃତ ରନ୍ଧନ ତେଲକୁ ସଫା କରିବା ପାଇଁ ଅନୁମତି ନଥିବା ରାସାୟନିକ ପଦାର୍ଥ ବ୍ୟବହାର ଭଳି ଅନିୟମିତତା ଧରାପଡ଼ିଥିବା ଅଧିକାରୀମାନେ କହିଛନ୍ତି।
ଲାଇସେନ୍ସ ନିଲମ୍ବିତ ହୋଇଥିବା KFC ଶାଖାଗୁଡ଼ିକ ମିୟାପୁର, ଚାରମିନାର, ବଞ୍ଜାରା ହିଲ୍ସ, ସିନ୍ଧି କଲୋନୀ, ମୁସାରାମବାଗ, ଶିଳ୍ପା କଳା ବେଦିକା ଓ ଇନୋର୍ବିଟ୍ ମଲ୍ରେ ରହିଛି। ସେହିପରି Domino’sର ସରଥ୍ ସିଟି ମଲ୍ ଓ ଇନୋର୍ବିଟ୍ ମଲ୍ସ୍ଥିତ ଶାଖା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଚଢ଼ାଉ ସମୟରେ ୫୨ କିଲୋଗ୍ରାମ୍ ସିନ୍ଥେଟିକ୍ ମ୍ୟାଗ୍ନେସିୟମ୍ ସିଲିକେଟ୍ ଜବତ କରାଯିବା ସହ ୨୦ଟି ଖାଦ୍ୟ ନମୁନା ସଂଗ୍ରହ ହୋଇଛି। ଅନ୍ୟ ଏକ ଯାଞ୍ଚ ଅଭିଯାନରେ Biryani By Kilo, Kulcha Kulture ଓ ITC Aashirvaad Soul Creations ସମେତ ଆଉ ୮ଟି ଖାଦ୍ୟ ପ୍ରତିଷ୍ଠାନର ଲାଇସେନ୍ସ ମଧ୍ୟ ନିଲମ୍ବିତ ହୋଇଛି।
ଲାଇସେନ୍ସ ନିଲମ୍ବିତ ହୋଇଥିବା ସମସ୍ତ ଆଉଟଲେଟ୍କୁ ତୁରନ୍ତ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ Swiggy ଓ Zomatoକୁ ମଧ୍ୟ ଏହି ଶାଖାଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ କୁହାଯିବ, ଯେପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ପୁନଃବହାଳ ନହୋଇଛି। ଏହାବ୍ୟତୀତ ୮ଟି ପ୍ରତିଷ୍ଠାନକୁ ସୁଧାର ନୋଟିସ୍ ଓ ୫ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ନିୟମ ଉଲ୍ଲଂଘନ ନେଇ ଆଗକୁ ଜରିମାନା ସମେତ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ନିଆଯାଇପାରେ।

