Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଦ୍ୱାରା ଜମନକିରାରେ ୧,୦୩୧ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ ଓ ‘ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ’ର ଶୁଭାରମ୍ଭ

ଜମନକିରା : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ‘ମଧୁବାବୁ ପେନ୍‌ସନ୍ ଯୋଜନା’ରେ ରାଜ୍ୟର ୫ ଲକ୍ଷ ୦୫ ହଜାର ୮୯୭ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ‘ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ’ (UPMP) ର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପରିସରରେ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜମନକିରା ବ୍ଲକର ସମସ୍ତ ପଞ୍ଚାୟତର ମୋଟ ୧,୦୩୧ ଜଣ ନୂତନ ହିତାଧିକାରୀ ଭତ୍ତା ପାଇବାର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଜମନକିରା ବିଡିଓ ରବିନ୍ଦ୍ର କୁମାର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଏସଏସଓ ଶୋଭନ ଚନ୍ଦ୍ର ପାଣି, ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, ମଣ୍ଡଳ ସଭାପତି ମନୋଜ କୁମାର ମାଝୀ, ଦୁଷ୍ମନ୍ତ ନାୟକ, ସୁନିଲ ମୁଦୁଲି ଏବଂ ବୀରେନ୍ଦ୍ର ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ବାଲେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ଏହାର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ଅତିଥିମାନେ ରାଜ୍ୟ ସରକାରଙ୍କ “ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା” ବାର୍ତ୍ତା ସହ ଏହି ନୂତନ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀମାନଙ୍କୁ ଅବଗତ କରାଇଥିଲେ। ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ଚଳିତ ବର୍ଷ ଅକ୍ଟୋବର ମାସରୁ ଭତ୍ତା ପ୍ରଦାନ କରାଯିବ, ଏଣିକି ଆବେଦନ କରିବାର ପର ମାସଠାରୁ ହିଁ ଭତ୍ତା ମିଳିବ, ଯୋଗ୍ୟ ବ୍ୟକ୍ତିମାନେ ବିଡିଓ କାର୍ଯ୍ୟାଳୟ କିମ୍ବା ଅନଲାଇନ୍ ପୋର୍ଟାଲ (https://upmp.odisha.gov.in) ମାଧ୍ୟମରେ ସହଜରେ ଆବେଦନ କରିପାରିବେ ଏବଂ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ୮୦ ବର୍ଷ ବୟସ ହେବା ମାତ୍ରେ ତା’ ପର ମାସଠାରୁ ଆପେ ଆପେ ବର୍ଦ୍ଧିତ ଭତ୍ତା ମିଳିବ ଯେଉଁଥିପାଇଁ ଆଉ ପୃଥକ ଆବେଦନ କରିବାକୁ ପଡ଼ିବ ନାହିଁ। ଏହି କାର୍ଯ୍ୟକ୍ରମରେ ଜମନକିରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ହିତାଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ଓ ଅତିଥିମାନଙ୍କ ଦ୍ୱାରା ନୂତନ ହିତାଧିକାରୀମାନଙ୍କୁ ଭତ୍ତା ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏପିଓ ମନୋଜ କୁମାର ଭୋଇ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଏସଏସଓ ରଞ୍ଜିତ ସାହୁ ଉପସ୍ଥିତ ରହି ପ୍ରତ୍ୟକ୍ଷ ସହଯୋଗ କରିଥିଲେ। ସହାୟତା ପାଇଁ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୭୭୦ / ୧୫୫୩୩୫ ଜାରି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories