Kunjalata Murder Case: ଭୁବନେଶ୍ୱର ବୃଦ୍ଧା ହତ୍ୟା ଓ ଲୁଟ୍ ମାମଲାରେ ପୁରୀ ଲିଙ୍କ୍, ଲୁଟ୍ ସାମଗ୍ରୀ କିଣିଥିବା ମହିଳା ବ୍ରହ୍ମଗିରିରୁ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବୃଦ୍ଧା କୁଞ୍ଜଲତା ନନ୍ଦଙ୍କ ହତ୍ୟା ଓ ଲୁଟ୍ ମାମଲାରେ ପୁଲିସକୁ ଆଉ ଏକ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ କେୟାରଟେକର ବଳଭଦ୍ର ମହାରଣା ଓରଫ ବଳିଆଙ୍କୁ ଗିରଫ କରିବା ପରେ ଏବେ ଲୁଟ୍ ସାମଗ୍ରୀ କିଣିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ଗିରଫ କରାଯାଇଛି। ଏହା ସହ ଏହି ମାମଲାରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଲିଙ୍କ୍ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଗତ ନଭେମ୍ବର ୪ ତାରିଖରେ କୁଞ୍ଜଲତାଙ୍କ ଘର ଭିତରୁ ବନ୍ଦ ଥିବା ଦେଖି ଭଡ଼ାଟିଆମାନେ ପରିବାରକୁ ଖବର ଦେଇଥିଲେ। ପରେ ପରିବାର ଲୋକେ ପୁଲିସକୁ ସୂଚନା ଦେବା ପରେ ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରାଯାଇଥିଲା। ସେଠାରେ କୁଞ୍ଜଲତାଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାର ତଦନ୍ତ କରି ପୁଲିସ କେୟାରଟେକର ବଳଭଦ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିଲା। ଘଟଣାର ୭ ଦିନ ପରେ ତାଙ୍କୁ ଗୁଜରାଟର ଭଦୋଦରାରୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ଲୁଟ୍ ହୋଇଥିବା ସୁନା, ରୁପା ଓ ଅନ୍ୟ ସାମଗ୍ରୀ ବ୍ରହ୍ମଗିରିର ଜଣେ ମହିଳା କିଣିଥିବା ଜଣାପଡ଼ିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

