Boudh Missing Case: ବ୍ୟବସାୟୀ ବିରୁପାକ୍ଷ ଆଗ୍ରୱାଲଙ୍କ ନିଖୋଜକୁ ନେଇ ଉତ୍ତେଜନା, ଏନ୍ଏସି ଛକ ଓ ରାଜନପାଲିରେ ରାସ୍ତା ଅବରୋଧ
ବୌଦ୍ଧ: ବ୍ୟବସାୟୀ ବିରୁପାକ୍ଷ ଆଗ୍ରୱାଲଙ୍କ ରହସ୍ୟଜନକ ନିଖୋଜକୁ ନେଇ ବୌଦ୍ଧ ସହରରେ ଉତ୍ତେଜନା ଦେଖାଦେଇଛି। ସେ ଗତ ଗୁରୁବାରଠାରୁ ନିଖୋଜ ଥିବାବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିନାହିଁ। ଏହାକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅନ୍ୟପଟେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ଅଭିଯୋଗ କରି ଲୋକେ ପ୍ରତିବାଦ କରିଛନ୍ତି।
ସୂଚନା ଅନୁସାରେ, ବିରୁପାକ୍ଷ ନିଖୋଜ ହେବା ପରେ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ହେଲେ ଅଭିଯୋଗ ପରେ ମଧ୍ୟ ପୁଲିସ ଆବଶ୍ୟକ ତତ୍ପରତା ଦେଖାଇନଥିବା ପରିବାର ଓ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ବ୍ୟବସାୟୀଙ୍କୁ ଶୀଘ୍ର ଠାବ କରିବା ଏବଂ ଘଟଣାରେ ତ୍ୱରିତ ପଦକ୍ଷେପ ନେବା ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି।
ପ୍ରତିବାଦକାରୀମାନେ ବୌଦ୍ଧ ସହରର ଏନ୍ଏସି ଛକ ଓ ରାଜନପାଲି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସେହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି। ବିରୁପାକ୍ଷଙ୍କ ନିଖୋଜ ପଛର କାରଣ ଓ ସେ କେଉଁଠି ଅଛନ୍ତି, ତାହା ଏବେ ଅସ୍ପଷ୍ଟ ରହିଛି।

