Cyclone Akvan: ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆଶଙ୍କା, ୧୭ରୁ ୧୯ ମଧ୍ୟରେ ଦକ୍ଷିଣ ଓ ପୂର୍ବ ଓଡ଼ିଶାରେ ବର୍ଷା ସମ୍ଭାବନା; ଫସଲ ଅମଲାକୁ ନେଇ ଚିନ୍ତାରେ ଚାଷୀ
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହା ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇପାରେ। ୧୫ ତାରିଖରେ ଅବପାତ ଏବଂ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ସମ୍ଭାବନା ଥିବା ନେଇ ପ୍ରାଥମିକ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ବାତ୍ୟାର ନାଁ ‘ଅକଭାନ୍’ ରଖାଯାଇଛି। ତେବେ ଏହାର ନିର୍ଦ୍ଦିଷ୍ଟ ଗତିପଥ ଓ ତୀବ୍ରତା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ପାଣିପାଗ ମଡେଲ୍ ଅନୁସାରେ ଏହା ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ଦୁଇଦିନ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ଖୋଲା ରହିବ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ୧୮ ତାରିଖରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ। ୧୯ ତାରିଖରେ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ସମେତ ଗଜପତି, ପୁରୀ ଓ ରାୟଗଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ବାତ୍ୟା ଦକ୍ଷିଣ ଆନ୍ଧ୍ର ଉପକୂଳ ଦେଇ ଗଲେ ଓଡ଼ିଶାରେ ପ୍ରଭାବ କମ୍ ରହିପାରେ। କିନ୍ତୁ ଉତ୍ତର ଆନ୍ଧ୍ର ଉପକୂଳ କିମ୍ବା ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଇଁଲେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଭାବ ବଢ଼ିପାରେ। କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୧୭ରୁ ୧୮ ତାରିଖ ମଧ୍ୟରେ ବିଶାଖାପାଟଣାରୁ ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟା ପହଞ୍ଚିପାରେ। ତେବେ ଏହାର ଗତିପଥ ଓ ତୀବ୍ରତା ୧୫ ତାରିଖ ପରେ ଅଧିକ ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଅନ୍ୟପଟେ ବାତ୍ୟା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀକୁଳ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଧାନ ପାଚିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଅମଳ ଆରମ୍ଭ ହେବ। ଏଭଳି ସମୟରେ ପବନ ସହ ବର୍ଷା ହେଲେ ପାଚିଲା ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। କ୍ଷେତରେ ଧାନ ଗଛ ଶୋଇପଡ଼ିଲେ ଅମଳ ପ୍ରଭାବିତ ହୋଇପାରେ। ଧାନ ସହ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେବାର ଭୟ ରହିଛି। ତେଣୁ ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଥିବା ବେଳେ ଆଗାମୀ ଦିନରେ ବାତ୍ୟାର ଗତିପଥ ଓ ବର୍ଷାର ପରିମାଣ ଉପରେ ସମସ୍ତଙ୍କ ନଜର ରହିଛି।

