ବାଞ୍ଜିପାଲି ପିଏମ୍ଶ୍ରୀ ବିଦ୍ୟାଳୟରେ ଛାୟା ବିଧାନସଭା, ପିଲା ସାଜିଲେ ମନ୍ତ୍ରୀ,ବିଧାୟକ ଓ ବାଚସ୍ପତି ଷଷ୍ଠ ଶ୍ରେଣୀର ଛାତ୍ରୀ ଇତିଶ୍ରୀ ସାହୁ
ଝାରସୁଗୁଡ଼ା ୪/୧୧ (ଓଡ଼ିଶା ନ୍ୟୁଜ୍): ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରକ୍ରିୟା, ବିଧାନସଭାର କାର୍ଯ୍ୟ ପ୍ରଣାଳୀ ଏବଂ ଜନ ପ୍ରତିନିଧିଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବ୍ୟାବହାରିକ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କତରବଗା ପଞ୍ଚାୟତର ବାଞ୍ଜିପାଲି ପିଏମ୍ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ପ୍ରେରଣାଦାୟୀ ‘ଛାୟା ବିଧାନସଭା’ ଅନୁଷ୍ଠିତ ହୋଇ ଯାଇଛି।
ଏହି ଅନନ୍ୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରଛାତ୍ରୀ ମାନେ ମନ୍ତ୍ରୀ ଓ ବିଧାୟକଙ୍କ ଭୂମିକା ସଫଳତାର ସହ ତୁଲାଇ ଥିବା ବେଳେ ଷଷ୍ଠ ଶ୍ରେଣୀର ମେଧାବୀ ଛାତ୍ରୀ ଇତିଶ୍ରୀ ସାହୁ ବାଚସ୍ପତି ଆସନରେ ଅଳଙ୍କୃତ ପୂର୍ବକ ବେଶ ଦକ୍ଷତାର ସହିତ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଛାତ୍ରଛାତ୍ରୀ ମାନେ ବିଧାନସଭାର ନୀତିନିୟମ ଅନୁସାରେ ପ୍ରଶ୍ନୋତ୍ତର ପର୍ବ, ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଏବଂ ସାଧାରଣ ଜନ ସମସ୍ୟାକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ପିଲାଙ୍କ ଏପରି ଓଜନଦାର ବକ୍ତବ୍ୟ ଓ ନିଖୁଣ ଅଭିନୟ ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୁଗ୍ଧ କରିଥିଲା । ଏଭଳି ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା, ଆତ୍ମବିଶ୍ୱାସ, ବକ୍ତୃତା କଳା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଗଭୀର ବିକାଶ ହୋଇ ପାରିବ ବୋଲି ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।
ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଦିଗ ଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜୁ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚକ୍ରଧର ପଧାନ, ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମଲ୍ଲିକ, ପ୍ରିତମ ସିଂହ ଦେଓ, ସଞ୍ଜୟ ଭୋଇ, ସମ୍ରାଟ ମେହେର, ବୁଲୁ ମେହେରଙ୍କ ସମେତ କମିଟିର ସମସ୍ତ ସଦସ୍ୟ-ସଦସ୍ୟା ଏବଂ ବିଦ୍ୟାଳୟର ସହକାରୀ ଶିକ୍ଷକ ଯୋଗେନ୍ଦ୍ର ସହି, ଲଳିତ କୁମାର ଧୁରୁଆଙ୍କ ସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।

