Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲାରେ ନୂଆ ଏସ୍‌ପିଙ୍କ କାର୍ଯ୍ୟଭାର ଗ୍ରହଣ, ଅପରାଧ ଦମନ, ମହିଳା ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ପ୍ରାଥମିକତା

ଝାରସୁଗୁଡ଼ା ୪/୧୧ (ଓଡ଼ିଶା ନ୍ୟୁଜ) : ଝାରସୁଗୁଡ଼ା ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ଆଇପିଏସ୍ ଅଧିକାରୀ ସୋନାଲୀ ସିଂହ ପରମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୋଲିସ ପ୍ରଶାସନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏସ୍‌ପି ଭାବେ ଏହା ତାଙ୍କର ପ୍ରଥମ ଜିଲ୍ଲା ହୋଇଥିବା ବେଳେ ଅପରାଧ ଦମନ, ମହିଳାଙ୍କ ସୁରକ୍ଷା ଓ ସାଧାରଣ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି କହିଛନ୍ତି।
ଏଥିସହ ଜିଲ୍ଲାରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରି ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଦୁର୍ଘଟଣା ରୋକିବା ଓ ମୂଲ୍ୟବାନ ଜୀବନ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହିତ ମହିଳା ସୁରକ୍ଷା, ସାଇବର ଅପରାଧ ନିୟନ୍ତ୍ରଣ ଓ ପୋଲିସ କାର୍ଯ୍ୟ ଧାରାରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସାଧାରଣ ଲୋକେ ଯେପରି ବିନା ଦ୍ୱିଧାରେ ପୋଲିସ ନିକଟରେ ନିଜର ଅଭିଯୋଗ ଓ ସମସ୍ୟା ଜଣାଇ ପାରିବେ, ସେଥିପାଇଁ ଲୋକାଭିମୁଖୀ ତଥା ଜନବନ୍ଧୁ ପୋଲିସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଶିଳ୍ପ ଓ ଖଣି ବହୁଳ ଝାରସୁଗୁଡ଼ା ଜିଲ୍ଲାରେ ଜମି ଅଧିଗ୍ରହଣକୁ ନେଇ ବିଭିନ୍ନ ସମୟରେ ଦେଖା ଦେଉଥିବା ବିବାଦ ସମ୍ପର୍କରେ ସେ କହିଛନ୍ତି ଯେ, ଏଭଳି ସମସ୍ୟା ଉପୁଜିଲେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଏକାଠି ବସାଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରାଯିବ। ତେବେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡ଼ିବ ନାହିଁ, ସେଥିପାଇଁ ଆବଶ୍ୟକ ସ୍ଥଳେ ତୁରନ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟ ପକ୍ଷରେ ଜିଲ୍ଲାରେ ସକ୍ରିୟ ଥିବା ଅସାମାଜିକ ତତ୍ତ୍ୱ ଓ ଅପରାଧୀଙ୍କୁ ଚେତାବନୀ ଦେଇ ନୂତନ ଏସ୍‌ପି କହିଛନ୍ତି ଯେ, କୌଣସି ପ୍ରକାର ବେଆଇନ କାର୍ଯ୍ୟ କଳାପକୁ ପ୍ରଶ୍ରୟ ଦିଆଯିବ ନାହିଁ। ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ଉପରେ ଜିଲ୍ଲା ପୋଲିସ ଗୁରୁତ୍ୱ ଦେବ। ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି କରିବା ସହ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ତାଙ୍କର ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories