Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚରମ ଅବ୍ୟବସ୍ଥା: ଭୀମ ଭୋଇ ମେଡିକାଲରେ ଅଚଳ ଫ୍ରିଜର, ପଚିଲା ନିରାଶ୍ରିତ ଯୁବକଙ୍କ ଶବ; ପ୍ରଶାସନ ଓ ମନ୍ତ୍ରୀଙ୍କ ନୀରବତାକୁ ନେଇ ତୀବ୍ର ଅସନ୍ତୋଷ ।

ବଲାଙ୍ଗୀର,୧୮।୧୧: ଖୋଦ୍ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ପଥଭ୍ରଷ୍ଟ ଓ ଦାୟିତ୍ୱହୀନ ହୋଇପଡ଼ିଛି, ତାହାର ଏକ ବଡ଼ ଏବଂ ଜଘନ୍ୟ ପ୍ରମାଣ ସାମ୍ନାକୁ ଆସିଛି। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପରିଚାଳନାଗତ ବିପର୍ଯ୍ୟୟ ଏବଂ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲର ଶବ ସଂରକ୍ଷଣ କେନ୍ଦ୍ର (ମର୍ଚୁରି)ରେ ଫ୍ରିଜର ଗୁଡ଼ିକ ଦୀର୍ଘଦିନରୁ ଅଚଳ ହୋଇପଡ଼ିଥିଲେ ମଧ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ନିରାଶ୍ରିତ ଯୁବକଙ୍କ ମୃତଦେହ ଫ୍ରିଜର ଅଭାବରୁ ପଚିଶଢ଼ି ପ୍ରବଳ ଦୁର୍ଗନ୍ଧ ବାହାରିବା ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର କ୍ଷୋଭ ଓ ଅସନ୍ତୋଷ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଅଞ୍ଚଳର ୩୪ ବର୍ଷୀୟ ନିରାଶ୍ରିତ ଯୁବକ ସୁରେନ୍ଦ୍ର କୁମ୍ଭାର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗତ ନଭେମ୍ବର ୯ ତାରିଖରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ନଭେମ୍ବର ୧୧ ତାରିଖ ରାତି ୧୧ଟା ୫୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ନିୟମାନୁଯାୟୀ, ବେ-ୱାରିସ୍ ବା ପରିଚୟ ମିଳିନଥିବା ଶବକୁ ଚିହ୍ନଟ ପାଇଁ ୭୨ ଘଣ୍ଟା ସଂରକ୍ଷଣ କେନ୍ଦ୍ରରେ ରଖିବା ବାଧ୍ୟତାମୂଳକ। ମାତ୍ର ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ଥିବା ଫ୍ରିଜରଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ମୃତଦେହଟି ନିର୍ଦ୍ଧାରିତ ସମୟ ଭିତରେ ନଷ୍ଟ ହୋଇଯାଇଥିଲା ଏବଂ ସେଠାରୁ ଦୁର୍ଗନ୍ଧ ବାହାରିଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଡା. ପୁଷ୍ପାଞ୍ଜଳୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ADMO)ଙ୍କ ଦାୟିତ୍ୱହୀନତା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି। ଗଣମାଧ୍ୟମ ପକ୍ଷରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀମାନେ ମୁହଁ ଖୋଲିବାକୁ ସାହସ କରିନାହାନ୍ତି।
ଏଭଳି ବର୍ବର ଓ ଅମାନୁଷିକ ପରିସ୍ଥିତିରେ ପ୍ରଶାସନର ନିଦ ନଭାଙ୍ଗିଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ପୋଲିସ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ଶିବ ବେହେରା, ଦେବରାଜ ନାଗ, ସଚିନ ନାଏକ ଏବଂ ସାଗର ଚନ୍ଦନ ପ୍ରମୁଖ ଆଗେଇ ଆସି ମୃତକଙ୍କୁ ନିଜର ଆତ୍ମୀୟ ଭାବେ ଗ୍ରହଣ କରି ସ୍ୱର୍ଗ ରଥରେ ସମ୍ମାନଜନକ ଭାବେ ଅନ୍ତିମ ସଂସ୍କାର ସମ୍ପନ୍ନ କରିଥିଲେ।
ଖୋଦ୍ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିଜ Home District (ଗୃହ ଜିଲ୍ଲା)ରେ ଯଦି ମେଡିକାଲ ଭିତରେ ଶବ ପଚିବାର ଅବସ୍ଥା ଉପୁଜେ, ତେବେ ରାଜ୍ୟର ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଅବସ୍ଥା କଣ ଥିବ ? ତାହା ସହଜେ ଅନୁମେୟ ! ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଯେ, ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଜିଲ୍ଲାର ମେଡିକାଲର ଏଭଳି ଭିତ୍ତିଭୂମି ଓ ଅବ୍ୟବସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଏହା ସାଧାରଣ ଜନତାଙ୍କ ପ୍ରତି ବଡ଼ ପ୍ରତାରଣା ହେବ। ତୁରନ୍ତ ଏହି ଘଟଣାରେ ସଂପୃକ୍ତ ଦାୟିତ୍ୱହୀନ ADMO, CDMO ଏବଂ ମେଡିକାଲ ପ୍ରଶାସନ ବିରୁଦ୍ଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories