କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ଜମନକିରା : କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ (ଜୁନିଅର କଲେଜ) ପରିସରରେ ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥିଗଣ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଭୋଜପୁର ସ୍ଥିତ ବି.ଆର୍.ଜି. ଜୁନିଅର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ଗବେଷକ ପ୍ରତାପ କୁମାର ମହକୁଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନ ପ୍ରଣୟନରେ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଅତୁଳନୀୟ ଭୂମିକା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ସେହିପରି କୁଚିଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କରୁଣାକର କିଷାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ଦିବସ ପାଳନର ଆଭିମୁଖ୍ୟ ଓ ମାର୍ଗଦର୍ଶନ ଦେଇଥିଲେ।
କଲେଜର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଭାବନା ପାଣ୍ଡେ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜର ଛାତ୍ରୀ ବବିତା ପ୍ରଧାନ, ଗାୟତ୍ରୀ ନାୟକ, ଲଭଲି ସୁନାନି, କାଟ୍ରିନା କିଷାନ, ମନିଷା ପ୍ରଧାନ ଓ ଲତିକା ଭଇସା ପ୍ରମୁଖ ସମ୍ବିଧାନ ଦିବସ ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟନାରାୟଣ ପଟେଲ ସମସ୍ତ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନର ପ୍ରସ୍ତାବନା ପାଠ କରାଇଥିଲେ। ଅଧ୍ୟାପକ ସୁଧୀର କୁମାର ନାୟକ, ଶିକ୍ଷା ପ୍ରଶିକ୍ଷିକା ପ୍ରତିମା କୁମାରୀ ନାୟକ, ଡି.ଇ.ଓ. ସମୀନ କୁମାର ନାୟକ, ସେବକ ଜୟଦେବ ରାଉତ ଓ ରଜତ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସୁଧୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

