ବଲାଙ୍ଗୀର ସହରରେ ବେପରୁଆ ବାଇକର୍ଙ୍କୁ କଡ଼ା ଚେକ୍: ଦୌଡ଼ି ଯାଇ ବୁଲେଟ୍ ଚାଳକଙ୍କୁ କାବୁ କଲେ ସଦର SDPO ଓ ଟାଉନ IIC ।
ବଲାଙ୍ଗୀର,୨୭।୧୧: ବଲାଙ୍ଗୀର ସହରର ମଧ୍ୟଭାଗରେ ବେପରୁଆ ଓ ଦ୍ରୁତ ଗତିରେ ବାଇକ୍ ଚଳାଉଥିବା ଚାଳକ ମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କଚେରୀ ଛକ ଟ୍ରାଫିକ୍ ଏବଂ ଟାଉନ ଥାନା ସମ୍ମୁଖରେ ଜଣେ ଯୁବକ ଏକ ବୁଲେଟ୍ ବାଇକ୍ (OD 03 AH 9950) ରେ ଉଚ୍ଚ ଶବ୍ଦରେ ବିକଟାଳ ସାଉଣ୍ଡ କରି ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ନଜରରେ ପଡ଼ିଥିଲେ।
ଏହି ସମୟରେ ବଲାଙ୍ଗୀର ସଦର SDPO ସରୋଜ ଉପାଧ୍ୟାୟ ଏବଂ ଟାଉନ ଥାନା IIC ଅବନୀ ସାହୁ ତୁରନ୍ତ ଆକ୍ସନ ମୋଡ୍କୁ ଆସିଥିଲେ। ଉଭୟ ପୋଲିସ ଅଧିକାରୀ ନିଜେ ଦୌଡ଼ି ଯାଇ ସମ୍ପୃକ୍ତ ବୁଲେଟ୍ ବାଇକ୍ ସହ ଚାଳକଙ୍କୁ କାବୁ କରିଥିଲେ। ପରେ ବାଇକ୍ ଓ ଚାଳକଙ୍କୁ ବଲାଙ୍ଗୀର ଟାଉନ ଥାନା ପରିସର ଭିତରକୁ ନିଆଯାଇ ପଚରାଉଚରା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।
ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦ୍ରୁତ ଗତିରେ ଗାଡ଼ି ଚାଳନା, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଏବଂ କାନଫଟା ଶବ୍ଦ କରୁଥିବା ବାଇକର୍ଙ୍କ ଯୋଗୁଁ ସାଧାରଣ ଲୋକ ଓ ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଏଭଳି ବେପରୁଆ ବାଇକ୍ ଚାଳକଙ୍କ ବିରୋଧରେ ପୋଲିସ ପକ୍ଷରୁ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

