ଆଜି ପହିଲି ରଜ; ଉତ୍ସବମୂଖର ଗାଁଠୁ ସହର; ଜମୁଛି ରଜ ଆସର


ଭୁବନେଶ୍ବର: ଆଜି ପହିଲି ରଜ । ସବୁଠି ପାଳନ ହେଉଛି ରଜ ମହୋତ୍ସବ। ପୋଡ ପିଠାକୁ ରଜପାନ ଓ ରଜଦୋଳିକୁ ନେଇ ଜମୁଛି ରଜ ଆସର। ଉତ୍ସବମୂଖର ଗାଁଠୁ ସହର।

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ ଏବଂ ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।

ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ ପିଠା ଓ ପା ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ଚଳିତବର୍ଷ ରଜପର୍ବ ପାଳନ ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ପାନ୍ଥନିବାସରେ ବ୍ୟାପକ ଆୟୋଜନ କରାଯାଇଛି । ରଜ ଉପଲକ୍ଷେ ରଜ ପାନ, ମେହେନ୍ଦୀ ସହ ନିଆରା ପରିବେଶ ଭେଟି ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଟିଡିସି । ପାନ୍ଥ ନିବାସରେ ହେବାକୁ ଥିବା ରଜ ମହୋତ୍ସବ ବୁଧବାର ଠାରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ । ଏଠାରେ ଲୋକଙ୍କ ପାଇଁ ପୋଡ଼ ପିଠା, କାକରା ପିଠା, ରଜପାନ ସହ ବିଭିନ୍ନ ପ୍ରକାରର ମିଠା ଓ ମିଠା ବିକ୍ରି ହେବ ।