ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ବିଜେଡିର ଟାର୍ଗେଟ; ରାଜଭବନ ସାମ୍ନାରେ ବିଜେଡିର ବିକ୍ଷୋଭ


ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି। ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେଡି କର୍ମୀ । ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀ ଫାଙ୍କା ସିଲିଣ୍ଡର ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। ଦଳର ମହିଳା କର୍ମୀ ଓ ନେତ୍ରୀ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । ଏହାସହ ରାସ୍ତା ଉପରେ ଚୁଲି ଜାଳି ମଧ୍ୟ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏହାସହ ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ବିଜେଡି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ମା’ମାନଙ୍କୁ ଅସମ୍ମାନିତ କରିଛି । ଆଖିରେ ଲୁହ ଭରିଦେଇଛି । ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ପାଖାପାଖି ୩ ଗୁଣା ବୃଦ୍ଧି ପାଇଛି ଗ୍ୟାସ ଦର । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଗ୍ୟାସ ଦର କମାଇ ନାହାନ୍ତି । ସେତେବେଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଶ୍ରୀମୟୀ।