Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡ଼ୁର ଗିରଫ ମନ୍ତ୍ରୀ ସେନ୍ଥିଲଙ୍କ ହେବ ବାଇପାସ୍ ସର୍ଜରୀ, ଇଡି ଗିରଫଦାରୀ ପରେ ବିଗିଡ଼ିଥିଲା ସ୍ଵାସ୍ଥ୍ୟ

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଇଡି ଆଜି ସକାଳେ ଗିରଫ କରିଛି। ଏହା ପରେ ମନ୍ତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ସେନ୍ଥିଲଙ୍କୁ ବାଇପାସ୍ ସର୍ଜରୀ କରିବାକୁ କହିଛନ୍ତି। ଡାକ୍ତର କହିଛନ୍ତି ସେନ୍ଥିଲ ହୃଦଘାତର ଗମ୍ଭୀର ରୋଗରେ ପୀଡିତ ଏବଂ ତାଙ୍କୁ ଯଥାଶୀଘ୍ର ବାଇପାସ୍ ସର୍ଜରୀ କରିବା ଉଚିତ୍। ହସ୍ପିଟାଲରେ ତାଙ୍କର କୋରୋନରୀ ଏଞ୍ଜିଓଗ୍ରାମ ଟେଷ୍ଟ କରାଯାଇଛି। ରିପୋର୍ଟ ଆଧାରରେ ଡାକ୍ତର ବାଇପାର୍ସ ସର୍ଜରୀ କରାଇବାକୁ କହିଛନ୍ତି।

ସେନ୍ଥିଲ ହେଉଛନ୍ତି ତାମିଲନାଡୁର ଶକ୍ତି ମନ୍ତ୍ରୀ। ଏହା ପୂର୍ବରୁ ସେ ଏଆଇଏଡିଏମକେ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ସେହି ସମୟରେ କ୍ୟାସ ଫର ଜବ ସ୍କାମରେ ଇଡି ତାଙ୍କୁ ଆଜି ଗିରଫ କରିଛି। ଏହାକୁ ନେଇ ତାମିଲନାଡୁ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରଖି ଏମିତି କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି।ଏଆଇଏଡିଏମକେ ସରକାରରେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା ସେନ୍ଥିଲ ଜୟଲଳିତାଙ୍କ ଦୃଢ ସମର୍ଥକ ମଧ୍ୟରୁ ଜଣେ ଥିଲେ। ଏପରିକି ସେ ଜୟଲଳିତାଙ୍କ ପାଇଁ ଲଣ୍ଡା ହୋଇ ଯାଇଥିଲେ।

ତେବେ ଜୟଲଳିତାଙ୍କ ଦେହାନ୍ତ ପରେ ସେ ଡିଏମକେରେ ସାମିଲ୍ ହୋଇଥିଲେ ଏବଂ ପୁନର୍ବାର ମନ୍ତ୍ରୀ ହୋଇଥିଲେ। ଜୟଲଳିତାଙ୍କୁ ଯେବେ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ସେ ଖୁସିରେ ଲଣ୍ଡା ହୋଇ ଯାଇଥିଲେ। ବର୍ତ୍ତମାନ ତାମିଲନାଡ଼ୁରେ ଡିଏମକେ ଏବଂ କଂଗ୍ରେସ ମେଣ୍ଟ ସରକାର ଚଳାଉଛନ୍ତି। ଏବେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଏବଂ ଡିଏମକେ-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।