ଅଘୋଷିତ ବିଦ୍ୟୁତ କାଟ ଓ ଟାଟା ପାୱାରର ମନମୁଖୀ ନୀତି ବିରୁଦ୍ଧରେ ବିଜେପିର ଆନ୍ଦୋଳନ


ସାରା ରାଜ୍ଯରେ ଟାଟା ପାୱାରର ଶୋଷଣ ନିତୀ ଏବଂ ଅନିୟମିତତା ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ତରଭା ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମହଲାଙ୍କ ନେତୃତ୍ଵରେ ବ୍ଳକ ସମ୍ମୁଖରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରା ବାହାରି ତରଭା ସ୍ଥିତ ଟାଟାପାୱାର ବିଦ୍ୟୁତ କାର୍ଯାଳୟ ପର୍ଯ୍ୟନ୍ତ ଯାଇଥିଲେ । ଗ୍ରୀଡ ସବଷ୍ଟେସନ ସମ୍ମୁଖରେ ବିଜେପି କର୍ମୀମାନେ ଟାଟାପାୱାରର ଅଘୋଷିତ ବିଦ୍ୟୁତ କାଟ, ବକେୟା ବିଲ ଅସୁଲିରେ ଜୋରଜୁଲୁମ , ଉପଭୋକ୍ତା ଶୋଷଣ ନିତି ବିରୁଦ୍ଧରେ ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । କେବଳ ଟାଟାପାୱାର ବିରୁଦ୍ଧରେ ନୁହଁ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ବିଜେପି କର୍ମୀ ମାନେ ସରକାରଙ୍କୁ ଦାୟୀକରି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଟାଟା ପାୱାର ସବଷ୍ଟେସନ କାର୍ଯାଳୟକୁ ଯାଇ ଇ ଏସ ଓ କୁମୁଦ କୁମାର ବେହେରାଙ୍କୁ ଆନ୍ଦୋଳନକାରୀ ମାନେ ଉପରୋକ୍ତ ସମସ୍ତ ସମସ୍ୟା ଅବଗତ କରି ତୁରନ୍ତ ଏହାର ସୁଧାର ନେଇ ଦାବି କରିଥିଲେ । ଏପରିକି ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଏ ଏବଂ ଟାଟାପାୱାର ତାର ଉପରୋକ୍ତ ସମସ୍ୟା ର ସମାଧାନ ନେଇ ତାର ନିତିରେ ପରିବର୍ତ୍ତନ ନ ଆଣେ ତାହାହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ଯ ହେବ ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନ ରେ ପୂର୍ବତନ ଜିଲ୍ଲା ସଭାପତି ରାଜକିଶୋର ମେଣ୍ଡଲି, ମିଡିଆ ସେଲ ପ୍ରଭାରୀ କଲ୍ଯାଣ ନାଏକ, ମଣ୍ଡଳ ସଭାପତି ମୁଚୁରାମ ମେଣ୍ଡଲି , ପୁରୁଷୋତ୍ତମ ମେହେର, ସୁରେଶ ନାଏକ, ତରଭା ନଗର ସଭାପତି ସୁବାସ ସାହୁ , ମନୋଜ ସାହୁ , ସମେତ ବହୁ ସଂଖ୍ଯାରେ ବିଜେପି କର୍ମୀ ଭାଗନେଇ ଥିଲେ ।