ପ୍ରଭୂ ଜଗନ୍ନାଥଙ୍କ ସେବାରେ ଜମି ଦାନ କରି ସାମ୍ବାଦିକ ଚର୍ଚିତ


ସମ୍ବଲପୁର(ବରଗାଁ): ରଥଯାତ୍ରାରେ ପ୍ରଭୂ ଜଗନ୍ନାଥ ସେବାରେ ଜମି ଦାନ କରି ପ୍ରଶଂସା ସାଉଁଟିଛନ୍ତି ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ । ଧମା ଥାନା ଅନ୍ତର୍ଗତ ବରଗାଁର ମୂଳ ନିବାସୀ ତଥା ପୁର୍ବତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସମ୍ବଲପୁରର ପୁର୍ବତନ ବିଧାୟିକା ବିଜେଡି ମୂଖପାତ୍ର ତଥା ଅଞ୍ଚଳର ଖ୍ୟାତନାମା ସ୍ତ୍ରୀରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ଭାଇ ସାମ୍ବାଦିକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପରିବାର ଏଭଳି ସୁନାମ ଗୋଟାଇ ଆଜି ସମଗ୍ର ଜିଲ୍ଲାରେ ଚର୍ଚାର ଶିରୋନାମା ପାଲଟିଛନ୍ତି। ଜିଲ୍ଲାରେ ବରଗାଁ ରଥଯାତ୍ରାର ଏକ ବିଶେଷ ଖ୍ୟାତି ରହିଛି । ଏହି ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟୀ ମଧ୍ୟ ରହିଛି । ପ୍ରଭୂ ଜଗନ୍ନାଥଙ୍କ ସେବାରେ ସାମ୍ବାଦିକ ନିଜର ପୈତୃକ ସଂପତ୍ତିରୁ ପୁର୍ବରୁ ଅଢେଇ ଏକର ଜମି ପ୍ରଦାନ କରିଥିବା ବେଳେ ପୁଣି ଏହି ରଥଯାତ୍ରାରେ ଆଉ ଅଢେଇ ଏକର ଏପରି ୫ ଏକଡ ଜମି ପ୍ରଦାନ କରି ନିଜର ମହାନତା ଦେଖାଇଛନ୍ତି ।
ଏହି ଉପଲକ୍ଷେ ବରଗାଁର ମାଉସୀ ମନ୍ଦିର ଠାରେ ମନ୍ଦିର ପରିଚାଳନା ଟ୍ରଷ୍ଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇ ସାମ୍ବାଦିକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମଞ୍ଜୁବାଣୀ ପାଣିଗ୍ରାହୀଙ୍କ ସହିତ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଏହି ମହାନତାକୁ ଉଚ୍ଚ ପ୍ରଶଂସା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ୍ ବୋର୍ଡ ସଭାପତି ଇଂ.ଅନୁପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନୋରଞ୍ଜନ ସାହୁ,ଗବର ପୋଢ,ଅନ୍ତର୍ଯ୍ୟାମୀ ସାହୁ,ଅମୀୟ ପାଣିଗ୍ରାହୀ ପ୍ରମୁଖଙ୍କ ଉପସ୍ଥିତିରେ ସନ୍ତୋଷ ବାରିକ ଏହାକୁ ପରିଚାଳନା କରିଥିବା ବେଳେ ଶେଷରେ ବ୍ୟାସଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗ୍ରାମରେ ପ୍ରଥମ ଥର ପାଇଁ ବରଗାଁ ଯୁବ ଗୋଷ୍ଠୀ ଦ୍ୱାରା ପ୍ରତିଷ୍ଠିତ ଘଣ୍ଟ ବାଦ୍ୟ ମୁଖ୍ୟ ଆକର୍ଷଣ ସାଜିଥିଲା ।