Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କ ମହାମେଳି ସମୟରେ କେସିଆରଙ୍କ ପୁଅଙ୍କ ଦିଲ୍ଲୀ ଯାତ୍ରା, ଟାଇମିଂକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀଠୁ ପ୍ରାୟ ୧୦୦୦ କିଲୋମିଟର ଦୂର ବିହାରର ରାଜଧାନୀ ପାଟନାରେ ଆଜି ବିରୋଧୀଙ୍କ ମହାମେଳି ହେବାକୁ ଯାଉଛି। ଅନ୍ୟପଟେ ଭାରତ ରାଷ୍ଟ୍ର ସମିତିର କାର‌୍ୟ୍ୟକାରୀ ଅଧ୍ୟକ୍ଷ ତଥା ତେଲେଙ୍ଗାନାର ଉଦ୍ୟୋଗ ତଥା ସୂଚନା ବୈଷେୟିକ ମନ୍ତ୍ରୀ କେଟି ରାମା ରାଓ ଶୁକ୍ରବାର ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବେ। ଦିଲ୍ଲୀରେ ସେ ୨ ଦିନ ପର୍ଯ୍ୟନ୍ତ ରହିବେ।

ଉଲ୍ଲେଖନୀୟ ଅମିତ୍ ଶାହଙ୍କୁ ସେ ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ତେବେ ତାଙ୍କର ଦିଲ୍ଲୀ ଗସ୍ତର ସମୟକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି।
କେଟିଆର ଶେଷ ଥର ୨୦୨୨ ଜୁନରେ ଦିଲ୍ଲୀ ଆସିଥିଲେ। ସେହି ସମୟରେ ସେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିଥିଲେ। ଏହା ପରଠୁ କେଟିଆର ଏବଂ ତାଙ୍କ ପିତା ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତେଲଙ୍ଗାନା ସହ କେନ୍ଦ୍ର ସରକାର ବୈମାତୃକ ମନୋଭାବ ଆପଣଉଥିବା ଅଭିଯୋଗ କରି ଆସୁଛନ୍ତି।

ଏହି ରାଜନୈତିକ ଘଟଣାକ୍ରମ ମଧ୍ୟରେ ବିଆରଏସ ନେତା କହିଛନ୍ତି, କେଟିଆରଙ୍କ ଦିଲ୍ଲୀ ଯାତ୍ରା କେବଳ ତେଲଙ୍ଗାନାର ବିକାଶ ପାଇଁ ଉଦ୍ଦିଷ୍ଟ। ରାଜ୍ୟରେ ଅନେକ ପ୍ରକଳ୍ପରେ ବିଳମ୍ବ ଘଟୁଥିବା ନେଇ ସେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ଗସ୍ତର କୌଣସି ରାଜନୈତିକ ସ୍ଵାର୍ଥ ନାହିଁ। କିନ୍ତୁ କେଟିଆରଙ୍କ ଦିଲ୍ଲୀ ଯାତ୍ରା ରାଜନୈତିକ ମାହୋଲକୁ ସରଗରମ କରିଛି। କାରଣ ଆଜି ବିଜେପି ବିରୋଧରେ ଲଢେଇ ପାଇଁ ବିଭିନ୍ନ ରାଜନୈତିକି ଦଳ ପାଟନାରେ ଏକଜୁଟ୍ ହେଉଛନ୍ତି।

କେସିଆରଙ୍କୁ ପାଟନାରେ ବିରୋଧୀ ନେତାଙ୍କ ବୈଠକ ପାଇଁ ଆମନ୍ତ୍ରିତ କରାଯାଇ ନାହିଁ। ଜେଡିୟୁର ମୁଖପାତ୍ର କେସି ତ୍ୟାଗୀ ବୁଧବାର କହିଥିଲେ, ୨୦୨୪ର ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ତାଙ୍କର ଲଢେଇକୁ ନେଇ ବିଆରଏସ ଅଧ୍ୟକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।