Delhi Building Collapse: ଚାୱଡ଼ି ବଜାରରେ ୩ ମହଲା କୋଠା ଭୁଶୁଡ଼ି ୨ ମୃତ, ଅନେକ ଫସିଥିବା ଆଶଙ୍କା; ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ଚାୱଡ଼ି ବଜାର ଅଞ୍ଚଳରେ ଗୁରୁବାର ସକାଳେ ଏକ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ଜଣେ ଆହତ ହୋଇଥିବା ରିପୋର୍ଟ ଆସିଛି। ଏହା ସହ ଅନେକ ଲୋକ ଭଙ୍ଗା କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଗୁରୁବାର ସକାଳ ପ୍ରାୟ ୯ଟା ୫୦ ମିନିଟ୍ରେ ଚାୱଡ଼ି ବଜାର ମେଟ୍ରୋ ଷ୍ଟେସନ ନିକଟ ଗଳି ସିତାରାରେ ଏହି ଘଟଣା ଘଟିଥିଲା।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ, ପୁଲିସ ଓ ଅନ୍ୟ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତି କମ୍ରେ ୬ଟି ଅଗ୍ନିଶମ ଗାଡ଼ି ସହ ଉଦ୍ଧାରକାରୀ ଯାନ ନିୟୋଜିତ ହୋଇଛି। ବରିଷ୍ଠ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଭଗ୍ନାବଶେଷ ତଳେ ଆଉ କେତେ ଜଣ ଫସି ରହିଛନ୍ତି, ସେନେଇ ଏଯାଏଁ ସ୍ପଷ୍ଟ ତଥ୍ୟ ମିଳିନାହିଁ।
ଦୀପାବଳି ପର୍ବ ପରେ ଦିଲ୍ଲୀର ବ୍ୟସ୍ତବହୁଳ ବଜାର ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ କୋଠାଟି କେଉଁ କାରଣରୁ ଭୁଶୁଡ଼ିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ଏବେ ଉଦ୍ଧାରକାରୀ ଦଳର ପ୍ରାଥମିକତା ରହିଛି।

