Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଜନ କମ କର,ତେବେ ଯାଇ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବ, ଷ୍ଟାର ଖେଳାଳିଙ୍କୁ BCCIର ରୋକ୍ ଠୋକ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସ ଅର୍ଥାତ ଜୁଲାଇରେ ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବ। ଏହି ସମୟରେ ଦଳ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ଖେଳିବ। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇ ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରି ସାରିଛି, ଯେଉଁଥିରେ ଚକିତ କରି ଦେବା ଭଳି ଖେଳାଳିଙ୍କ ନାଁ ରହିଛି।

ତେବେ ଜଣେ ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ୍ ନ କରାଯିବା ନେଇ ଅନେକ ପ୍ରଶ୍ନ ଉଠିଛି। ଏହି ଖେଳାଳି ହେଉଛନ୍ତି ସରଫରାଜ ଖାନ। ତାଙ୍କୁ ଦଳରେ ସ୍ଥାନ ନ ମିଳିବା ନେଇ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ଖୁବ୍ ସମାଲୋଚନା କରିଛନ୍ତି। ମାତ୍ର ବିସିସିଆଇ ସୂତ୍ର ଅନୁଯାୟୀ, ମୁମ୍ବାଇର ଏହି ଖେଳାଳି ବ୍ୟାଟରଙ୍କୁ ତାଙ୍କର ଖରାପ ଫିଟନେସ୍ ଏବଂ ଅନୁଶାସନହୀନତା କାରଣରୁ ଦଳରେ ସାମିଲ୍ କରାଯାଇ ନାହିଁ।

ଡାହାଣହାତୀ ବ୍ୟାଟର ସରଫରାଜ ରଣଜୀ ଟ୍ରଫିର ୩ଟି ସିଜିନରେ ୨୫୬୬ ରନ କରିଛନ୍ତି। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୭ଟି ମ୍ୟାଚରେ ୭୯.୬୬ ହାରରେ ଏହି ରନ କରିଛନ୍ତି। ୧୯ ବର୍ଷରୁ କମ ବିଶ୍ଵକପରେ ୨ ଥର ଭାରତର ପ୍ରତିନିଧିତ୍ଵ କରିଥିବା ଏହି ଖେଳାଳିଙ୍କୁ ଦଳରେ ସ୍ଥାନ ନ ମିଳିବା ନେଇ ପ୍ରଶ୍ନ ଉଠିବା ସ୍ଵଭାବିକ।

ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଏହିପରି ଅସନ୍ତୋଷର ପ୍ରତିକ୍ରିୟାକୁ ଆମେ ବୁଝି ପାରୁଛୁ। ମାତ୍ର ଆପଣଙ୍କୁ କହି ରଖୁଛୁ ଯେ, ସରଫରାଜ ଖାନଙ୍କୁ ବାରମ୍ବାର ଅଣଦେଖା କରାଯିବା ପଛର କାରଣ କେବଳ କ୍ରିକେଟ୍ ନୁହେଁ। ଏମିତି ଅନେକ କାରଣ ରହିଛି ଯେଉଁ କାରଣରୁ ଦଳରେ ତାଙ୍କୁ ଚୟନ କରାଯାଉ ନାହିଁ।

ଅଧିକାରୀ କହିଛନ୍ତି କଣ ଚୟନକର୍ତ୍ତା କେଉଁ କେଉଁ ଖେଳାଳି କେମିତି ପ୍ରଦର୍ଶନ କରୁଛନ୍ତି କଣ ବୁଝି ପାରୁ ନାହାନ୍ତି ? ଯେଉଁ ଖେଳାଳି ଲଗାତାର ୨ଟି ସିଜିନରେ ୯୦୦ରୁ ଅଧିକ ରନ କରୁଛି ସେହି ଖେଳାଳିଙ୍କୁ କେମିତି ଅଣଦେଖା କରାଯାଇ ପାରିବ ? ଦଳରେ ଚୟନ ନ କରାଯିବା ପଛରେ ବଡ଼ କାରଣ ହେଉଛି ତାଙ୍କର ଫିଟନେସ୍, ଯାହା ଅନ୍ତର୍ଜାତୀୟସ୍ତରର ନୁହେଁ। ସରଫରାଜଙ୍କୁ ଏହି କ୍ଷେତ୍ରରେ ବହୁତ ପରିଶ୍ରମ କରିବାର ଅଛି ଏବଂ ନିଜର ଓଜନ କମ କରିବାକୁ ପଡ଼ିବ ଏବଂ ଅଧିକ ଫିଟନେସ୍ ସହ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ। ଚୟନ ପାଇଁ କେବଳ ବ୍ୟାଟିଂ ଏକମାତ୍ର ମାନଦଣ୍ଡ ନୁହେଁ ବୋଲି ଅଧିକାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ