ବିଶ୍ଵକପ୍ ୨୦୨୩ର କ୍ରୀଡ଼ାସୂଚୀ ଜାରି, ଜାଣନ୍ତୁ ଭାରତ କେଉଁ ଦିନ କାହା ସହ ଖେଳିବ ମ୍ୟାଚ୍


ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଭାରତରେ ପୁରୁଷ ଆଇସିସି ବିଶ୍ଵକପ୍ ୨୦୨୩ ଖେଳାଯିବ। ଏ ନେଇ ମଙ୍ଗଳବାର ବିଶ୍ଵକପର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ବିଶ୍ଵକପର ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ରେ ଏବେଂ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ। କ୍ରିକେଟ୍ ଇତିହାସରେ ପ୍ରଥମ ଥର ଏମିତି ହେବ, ଯେଉଁଠି ପୂରା ବିଶ୍ଵକପ୍ ଭାରତରେ ହିଁ ଖେଳାଯିବ। ମୁମ୍ବାଇରେ ୧୩ମ ବିଶ୍ଵକପର ସିଡ୍ୟୁଲ୍ ଜାରି କରାଯାଇଛି।

ପୂରା ଟୁର୍ଣ୍ଣାମେଣ୍ଟ ୪୬ ଦିନ ଖେଳାଯିବ। ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ଉପ ବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ପ୍ରଥମ ମୁକାବିଲା ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ବିଶ୍ଵକପର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା ଅକ୍ଟୋବର ୧୫ ରବିବାର ଅହମ୍ମଦାବାଦରେ ଖେଳାଯିବ। ଫାଇନାଲ୍ ମୁକାବିଲା ନଭେମ୍ବର ୧୯ରେ ସେହି ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ବିଶ୍ଵକପରେ ୧୦ଟି ଦଳ ରାଉଣ୍ଡ ରବିନ ଲିଗରେ ପରସ୍ପରର ମୁକାବିଲା କରିବେ, ଯେଉଁଥିରେ ୪୫ଟି ମ୍ୟାଚ୍ ଖେଳାଯିବ। ଏହା ପରେ ସେମି ଫାଇନାଲ୍ ଏବଂ ଫାଇନାଲ୍ ଖେଳାଯିବ। ପ୍ରଥମ ସେମି ଫାଇନାଲ୍ ନଭେମ୍ବର ୧୫ରେ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଏବଂ ଦ୍ଵିତୀୟ ସେମି ଫାଇନାଲ୍ ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଯଦି ଭାରତ ସେମି ପାଇଁ ଯୋଗ୍ୟତା ଅର୍ଜନ କରେ ତେବେ ଦଳ ସେମି ଫାଇନାଲ୍ ମୁକାବିଲା ମୁମ୍ବାଇରେ ଖେଳିବ।

ଭାରତୀୟ ଦଳର କ୍ରୀଡ଼ାସୂଚୀ
ଭାରତ ବନାମ ଅଷ୍ଟ୍ରେଲିଆ- ଅକ୍ଟୋବର ୮, ଚେନ୍ନାଇ
ଭାରତ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୧, ଦିଲ୍ଲୀ
ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୫, ଅହମ୍ମଦାବାଦ
ଭାରତ ବନାମ ବାଂଲାଦେଶ- ଅକ୍ଟୋବର ୧୯, ପୁଣେ
ଭାରତ ବନାମ ନ୍ୟୁଜିଲାଣ୍ଡ- ଅକ୍ଟୋବର ୨୨, ଧର୍ମଶାଳା
ଭାରତ ବନାମ ଇଂଲଣ୍ଡ- ଅକ୍ଟୋବର ୨୯, ଲକ୍ଷ୍ନୌ
ଭାରତ ବନାମ କ୍ଵାଲିଫାୟର- ନଭେମ୍ବର ୨, ମୁମ୍ବାଇ
ଭାରତ ବନାମ ଦକ୍ଷିଣ ଆଫ୍ରିକା- ନଭେମ୍ବର ୫, କୋଲକାତା
ଭାରତ ବନାମ କ୍ଵାଲିଫାୟର- ନଭେମ୍ବର ୧୧, ବେଙ୍ଗାଲୁରୁ

ନକଆଉଟ୍ ଷ୍ଟେଜରେ ରିଜର୍ଭ ଡେ

ପ୍ରଥମ ସେମି ଫାଇନାଲ୍ ମୁକାବିଲା ନଭେମ୍ବର ୧୫ ବୁଧବାର ମୁମ୍ବାଇରେ ଏବଂ ଦ୍ଵିତୀୟ ସେମି ଫାଇନାଲ୍ ନଭେମ୍ବର ୧୬ କୋଲକାତାରେ ଖେଳାଯିବ। ଦୁଇ ସେମି ଫାଇନାଲ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା ରହିଛି। ଫାଇନାଲ୍ ମୁକାବିଲା ନଭେମ୍ବର ୧୯ରେ ଅହମ୍ମଦାବାଦରେ ଖେଳା ଯାଉଥିବା ବେଳେ ୨୦ ତାରିଖକୁ ରିଜର୍ଭ ଡେ ହିସାବରେ ରଖାଯାଇଛି। ସମସ୍ତ ୩ ନକଆଉଟ୍ ମ୍ୟାଚ୍ ଦିବାରାତ୍ର ରହିଛି, ଯାହା ଅପରାହ୍ନ ୨ଟାରୁ ଆରମ୍ଭ ହେବ।