Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବର ଆଜମଙ୍କ ଜନ୍ମଦିନରେ ଖେଳାଯିବ ଭାରତ ବନାମ ପାକିସ୍ତାନ ମହାମୁକାବିଲା, କିଛି ଶୁଣିଲା ନାହିଁ ICC

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ଦିନିିଆ ବିଶ୍ଵକପ୍ ୨୦୨୩ର କ୍ରୀଡାସୂଚୀ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତରେ ଖେଳାଯିବ। ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ ଏବଂ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଭାରତୀୟ ଦଳ ବିଶ୍ଵକପରେ ଅକ୍ଟୋବର ୮ରେ ନିଜର ଅଭିଯାନ ଆରମ୍ଭ କରିବ। ଆଉ ପାକିସ୍ତାନ ଅକ୍ଟୋବର ୬ରେ ନିଜର ପ୍ରଥମ ମୁକାବିଲା ଖେଳିବ। ହେଲେ ବିଶ୍ଵକପର ସବୁଠୁ ହାଇଭୋଲଟେଜ୍ ମୁକାବିଲା ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫(ରବିବାର)ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସବୁଠୁ ବଡ଼ କଥା ଏହି ମ୍ୟାଚ୍ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କ ଜନ୍ମଦିନରେ ଖେଳାଯିବ।

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଅହମ୍ମଦାବାଦରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଚାହୁଁ ନ ଥିଲା। ପାକିସ୍ତାନ ଅନ୍ୟ କିଛି ପଡିଆରେ ମ୍ୟାଚ୍ ଆୟୋଜନ କରିବାକୁ ଦାବି କରିଥିଲା। ହେଲେ ଆଇସିସି ଏବଂ ବିସିସିଆଇ ପାକିସ୍ତାନର ଦାବି ସ୍ଵୀକାର କରି ନାହାନ୍ତି। ବିସିସିଆଇ ଅନେକ ଦିନ ପୂର୍ବରୁ ବିଶ୍ଵକପର କ୍ରୀଡ଼ାସୂଚୀ ଆଇସିସି ନିକଟକୁ ପଠାଇ ସାରିଥିଲା। ଏହା ଉପରେ ପିସିବି ରାଜି ନ ଥିଲା। କିନ୍ତୁ ବିସିସିଆଇ ନିଜର ନିଷ୍ପତ୍ତି ଉପରେ ଅଟଳ ରହିବାରୁ କ୍ରୀଡ଼ାସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆଉ ଏବେ ନିର୍ଦ୍ଧାରିତ କ୍ରୀଡ଼ାସୂଚୀ ଅନୁସାରେ ଅହମ୍ମଦାବାଦରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ।

ଭାରତ ଏବଂ ପାକିସ୍ତାନ ଦିନିକିଆ ବିଶ୍ଵକପରେ ଅଦ୍ୟାବଧି ୭ ଥର ମୁହାଁମୁହିଁ ହୋଇ ସାରିଛନ୍ତି। ପ୍ରତ୍ୟେକ ଥର ଭାରତୀୟ ଦଳ ପାକିସ୍ତାନକୁ ହରାଇଛି। ଭାରତ ଏବଂ ପାକିସ୍ତାନ ଦିନିକିଆ ବିଶ୍ଵକପରେ ଶେଷ ଥର ୨୦୧୯ରେ ମାଞ୍ଚେଷ୍ଟରରେ ମୁହାଁମୁହିଁ ହୋଇଥିଲେ। ଭାରତ ଉକ୍ତ ମ୍ୟାଚକୁ ୮୯ ରନରେ ଜିତି ନେଇଥିଲା। ରୋହିତ ଶର୍ମା ଏହି ବଡ଼ ମୁକାବିଲାରେ ୧୧୩ ବଲରୁ ୧୪ ଚୌକା ଏବଂ ୩ ଛକା ବଳରେ ୧୪୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜମ ୫୭ ବଲରୁ ୪୮ ରନ କରିଥିଲେ।

ଭାରତୀୟ ଦଳର କ୍ରୀଡ଼ାସୂଚୀ

ଭାରତ ବନାମ ଅଷ୍ଟ୍ରେଲିଆ- ଅକ୍ଟୋବର ୮, ଚେନ୍ନାଇ
ଭାରତ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୧, ଦିଲ୍ଲୀ
ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୫, ଅହମ୍ମଦାବାଦ
ଭାରତ ବନାମ ବାଂଲାଦେଶ- ଅକ୍ଟୋବର ୧୯, ପୁଣେ
ଭାରତ ବନାମ ନ୍ୟୁଜିଲାଣ୍ଡ- ଅକ୍ଟୋବର ୨୨, ଧର୍ମଶାଳା
ଭାରତ ବନାମ ଇଂଲଣ୍ଡ- ଅକ୍ଟୋବର ୨୯, ଲକ୍ଷ୍ନୌ
ଭାରତ ବନାମ କ୍ଵାଲିଫାୟର- ନଭେମ୍ବର ୨, ମୁମ୍ବାଇ
ଭାରତ ବନାମ ଦକ୍ଷିଣ ଆଫ୍ରିକା- ନଭେମ୍ବର ୫, କୋଲକାତା
ଭାରତ ବନାମ କ୍ଵାଲିଫାୟର- ନଭେମ୍ବର ୧୧, ବେଙ୍ଗାଲୁରୁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ