ଏନସିଏରେ ଅଭ୍ୟାସ୍ ଆରମ୍ଭ କଲେ ବୁମରା, ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ଼ ଅପଡେଟ୍


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର। ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ନେଟ୍ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ଏହି ଅଭ୍ୟାସ ସେସନରେ ସେ ୭ ଓଭର ବୋଲିଂ କରିଛନ୍ତି। ହେଲେ ଆହତଜନିତ ସମସ୍ୟାରୁ ସଂପୂର୍ଣ୍ଣ ମୁକୁଳି ଜାତୀୟ ଦଳକୁ କେବେ ପ୍ରତ୍ୟାବର୍ତ୍ତନ କରିବେ ଏହାର ଜବାବ କାହାରି ପାଖରେ ନାହିଁ। ହେଲେ ନେଟରେ ବୁମରାଙ୍କୁ ଦେଖି ଭାରତୀୟ ପ୍ରଶଂସକ ନିଶ୍ଚୟ ଖୁସି ହେବେ। କାରଣ ବିସିସିଆଇ ବୁମରା ଯେମିତି ବିଶ୍ଵକପରେ ଭାରତୀୟ ଦ୍ରୁତ ବୋଲର ମଙ୍ଗ ଧରିବେ ସେ ନେଇ ପ୍ରସ୍ତୁତି ଚଳାଇଛି

ପିଠିରେ ବାରମ୍ବାର ଯନ୍ତ୍ରଣା କାରଣରୁ ବୁମରା ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡରେ ସର୍ଜରୀ କରାଇଥିଲେ। ତେବେଠୁ ସେ ଫିଟନେସ୍ ହାସଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ବୁମରା ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ୨୦୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ୍ ଖେଳିଥିଲେ। ତେଣୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, କଣ ବୁମରା ଆୟରଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା କିମ୍ବା ଏସିଆ କପରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିବେ ?

ଏହି ଘଟଣାକ୍ରମ ଉପରେ ନଜର ରଖିଥିବା ଜନୈକ ଅଧିକାରୀ କହିଛନ୍ତି, ଏହି ଧରଣର ଆହତ ପାଇଁ କୌଣସି ସମୟସୀମା ନିର୍ଦ୍ଧାରଣ କରିବା ବୁଦ୍ଧିମାନର କାମ ହେବ ନାହିଁ। କାରଣ ଖେଳାଳିଙ୍କୁ ଲଗାତାର ନିରୀକ୍ଷଣରେ ରଖିବାକୁ ପଡ଼ିଥାଏ। କିନ୍ତୁ ଏହା କୁହାଯାଇ ପାରିବ ଯେ, ବୁମରା ଆହତଜନିତ ସମସ୍ୟାରୁ ମୁକୁଳୁଛନ୍ତି। ସେ ଏନସିଏରେ ଅଭ୍ୟାସ ସେସନରେ ୭ ଓଭର ବୋଲିଂ କରିଛନ୍ତି। ସେ ନିଜର କାର‌୍ୟ୍ୟଭାରକୁ ବଢାଇବା ଅର୍ଥାତ ଅଧିକରୁ ଅଧିକ ଓଭର ବୋଲିଂ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେ ଆସନ୍ତା ମାସରେ ଏନସିଏରେ କିଛି ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ସେହି ସମୟରେ ହିଁ ବୁମରାଙ୍କ ଫିଟନେସର ସଠିକ୍ ଆକଳନ କରାଯାଇ ପାରିବ ବୋଲି ଜନୈକ ଅଧିକାରୀ କହିଛନ୍ତି। ଭାରତୀୟ ଦଳର ପୂର୍ବତନ ଷ୍ଟ୍ରେଙ୍ଗଥ ଏବଂ କଣ୍ଡିସନିଂ କୋଚ୍ ରାମଜୀ ଶ୍ରୀନିବାସନ କହିଛନ୍ତି ବୁମରାଙ୍କ ପ୍ରତ୍ୟାବର୍ତ୍ତନରେ ବହୁତ ସାବଧାନତା ରହିବା ଦରକାର। ବୁମରାଙ୍କୁ କୌଣସି ତରବରରେ ଦଳକୁ ଆଣିବା ଉଚିତ୍ ହେବନି। ଏନସିଏରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଏକ ଭଲ ପଦକ୍ଷେପ।