Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣ ଘଟଣା, ଆକ୍ରମଣକାରୀଙ୍କ କାର ଜବତ, ୪ ସନ୍ଦିଗ୍ଧ ଅଟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସହାରନପୁରର ଦେବବନ୍ଦରେ ବୁଧବାର ଅଜଣା ଆକ୍ରମଣକାରୀ ଭୀମ ଆର୍ମିର ପ୍ରମୁଖ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ଘଟଣାରେ ପୋଲିସ ଆକ୍ରମଣକାରୀଙ୍କ କାର ଜବତ କରିବା ସହ ୪ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି। ବରିଷ୍ଠ ପୋଲିସ ଅଧୀକ୍ଷକ ବିପିନ ଟାଡା କହିଛନ୍ତି ବୁଧବାର ସନ୍ଧ୍ୟା ୫ଟା ୧୫ରେ ଦେବବନ୍ଦ ପୋଲିସକୁ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଗୁଳିମାଡ଼ର ଖବର ମିଳିଥିଲା। ତୁରନ୍ତ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଆଜାଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଟାଡା ଅନୁଯାୟୀ, ଗୁଳି ଆଜାଦଙ୍କ ପେଟର ଉପରିଭାଗରେ ବାଜି ବାହାରି ଯାଇଛି। ତାଙ୍କ ବୟାନ ଅନୁସାରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଆଜାଦ ବର୍ତ୍ତମାନ ବିପଦରୁ ବାହାରେ ଅଛନ୍ତି ଏବଂ ସ୍ଥିତି ସଂପୂର୍ଣ୍ଣ ସ୍ଵଭାବିକ ରହିଛି। ନଗର ପୋଲିସ ଅଧୀକ୍ଷକ ଅଭିମନ୍ୟୁ ମାଙ୍ଗଳିକ କହିଛନ୍ତି, ଆଜାଦ ବୁଧବାର ଦେବବନ୍ଦରେ ନିଜ ପାର୍ଟିର କୌଣସି କର୍ମକର୍ତ୍ତାଙ୍କ ଘରୁ ଫେରୁଥିେଲ। ଯେବେ ତାଙ୍କ ଗାଡ଼ି ଦେବବନ୍ଦ ଏରିଆରେ ଥିଲା, ସେହି ସମୟରେ ହରିୟାଣା ନମ୍ବର ବିଶିଷ୍ଟ ଏକ କାରରେ ଆସିଥିବା ଆକ୍ରମଣକାରୀ ଚନ୍ଦ୍ରଶେଖରଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ଗୁଳି ତାଙ୍କ ପେଟ ଛୁଇଁ ଚାଲି ଯାଇଥିଲା। ଗୁଳିମାଡ଼ରେ କାରର କାଚ ମଧ୍ୟ ଭାଙ୍ଗି ଯାଇଛି।

ପୋଲିସ ଅଧୀକ୍ଷକ ଅଭିମନ୍ୟୁ ମାଙ୍ଗଳିକ କହିଛନ୍ତି, ଆହତ ଚନ୍ଦ୍ରଶେଖରଙ୍କୁ ପ୍ରଥମେ ଦେବବନ୍ଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲରେ ଆଜାଦଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜାଦଙ୍କ ଉପରେ ଆକ୍ରମଣର ଖବର ପାଇ ହସ୍ପିଟାଲରେ ତାଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ