Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ODI world cup 2023: ଭାରତ ଗସ୍ତ କରିବେ ପାକିସ୍ତାନର ପ୍ରତିନିଧିମଣ୍ଡଳ ! ପରଖିବେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ର ଖେଳସୂଚୀ ଘୋଷଣା କରିବା ପରେ ବି ପାକିସ୍ତାନ ଦଳ ଭାରତ ଆସିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ନାହିଁ। ପାକିସ୍ତାନ ଖେଳସୂଚୀକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି। ସରକାରଙ୍କ ମଞ୍ଜୁରୀ ଉପରେ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବା ନ ଆସିବା ଉପରେ ନିର୍ଭର କରେ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) କହି ସାରିଛି। ଏହା ମଧ୍ୟରେ ସୂଚନା ଆସିଛି ଯେ, ପାକିସ୍ତାନର ଏକ ପ୍ରତିନିଧିମଣ୍ଡଳ ପ୍ରଥମେ ଭାରତ ଗସ୍ତ କରିବେ ଏବଂ ସୁରକ୍ଷା ବ୍ୟବସ୍ଥା ପରଖିବେ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପାକିସ୍ତାନର କ୍ରୀଡ଼ା ମନ୍ତ୍ରଣାଳୟର ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ବିଶ୍ଵକପ୍ ୨୦୨୩ ପାଇଁ ନିଜର ଜାତୀୟ ଦଳକୁ ଭାରତ ପଠାଇବା ପୂର୍ବରୁ ପାକିସ୍ତାନର ଏକ ପ୍ରତିନିଧିମଣ୍ଡଳ ଭାରତ ଗସ୍ତ କରିବ। ପ୍ରତିନିଧିମଣ୍ଡଳ ସେହି ଷ୍ଟାଡିୟମ ଗସ୍ତ କରିବେ ଯେଉଁଠି ପାକିସ୍ତାନ ଦଳକୁ ମ୍ୟାଚ୍ ଖେଳିବାର ଅଛି ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥା ପରଖିବେ।

ସୂଚନା ଅନୁଯାୟୀ, ଏହି ପ୍ରତିନିଧିମଣ୍ଡଳ ଭାରତ ଆସିବା ନେଇ ଚୂଡାନ୍ତ ନିଷ୍ପତ୍ତି ଇଦ୍ ଛୁଟି ପରେ ଏବଂ ପିସିବିର ନୂତନ ଅଧ୍ୟକ୍ଷ ନିଯୁକ୍ତି ପରେ ନିଆଯାଇପାରେ। ଆଗାମୀ ଗୋଟିଏ ସପ୍ତାହରେ ଏହି ମାମଲାରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଇଛି। ଏଥିପାଇଁ ପାକିସ୍ତାନର ବୈଦେଶିକ ଏବଂ ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରଣାଳୟଠୁ ମଧ୍ୟ ପରାମର୍ଶ ନିଆଯାଉଛି।

ଏହି ପ୍ରତିନିଧିମଣ୍ଡଳ ଚେନ୍ନାଇର ଚେପକ, ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ, ହାଇଦ୍ରାବାଦର ରାଜୀବ ଗାନ୍ଧୀ, କୋଲକାତାର ଇଡେନ ଗାର୍ଡେନ୍ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଗସ୍ତ କରି ପାରନ୍ତି। କାରଣ ଏହି ଷ୍ଟାଡିୟମରେ ପାକିସ୍ତାନକୁ ମ୍ୟାଚ୍ ଖେଳିବାର ଅଛି।