ଅଭିନବ ଶିକ୍ଷା: ନୋ ବ୍ୟାକଡେ

ସମ୍ବଲପୁର: ଶିକ୍ଷା ହେଉଛି ସଭ୍ୟତାର ଜ୍ୟୋତି । ଶିକ୍ଷା ଅଜ୍ଞାନତା ଦୂର କରିବା ସହିତ ଜ୍ଞାନର ଆଲୋକ ପ୍ରଦାନ କରେ । ଶିକ୍ଷା ହେଉଛି ଦାରିଦ୍ର୍ୟ ଦୂରୀକରଣର ଅନ୍ୟତମ ଶକ୍ତି । ଶିକ୍ଷା ବିନା ଆଧୁନିକ ମଣିଷ ତା’ର ପୁରୁଣା ସଂସ୍କୃତିକୁ ସଙ୍ଗରେ ଧରି ଉନ୍ନତି ପଥରେ କଦାପି ଆଗେଇ ଯାଇ ପାରିବ ନାହିଁ । ଆଜିର ଯୁଗରେ ମଣିଷ ଯେଉଁଠି ଥାଉ ଯେପରି ଥାଉ ତାକୁ ଶିକ୍ଷା ସହିତ ସାମିଲ ହେବାକୁ ପଡ଼ିବ । ଶିକ୍ଷା ପ୍ରତ୍ୟେକ ଶିଶୁର ଅଧିକାର । ଆମ ଭାରତର ସମ୍ବିଧାନ ଧାରା ୨୯ରେ ଏହି ଅଧିକାର କଥା କୁହେ । ଏଥିପାଇଁ ୬ ରୁ ୧୪ ବର୍ଷର ପ୍ରତ୍ୟେକ ଶିଶୁଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟମାନଙ୍କରେ ଦଣ୍ଡମୁକ୍ତ ଓ ଭେଦଭାବ ରହିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ଶିଶୁମାନଙ୍କୂ କିପରି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇପାରିବ ସେ ବିଷୟରେ ଅନେକ ପରୀକ୍ଷା ନିରୀକ୍ଷା ଚାଳିଛି । ଶିକ୍ଷକମାନଙ୍କୁ ନିର୍ଦିଷ୍ଟ ସମୟ ଅନ୍ତରର ପ୍ରଶିକ୍ଷଣ ପ୍ରଦାନ କରି ଦକ୍ଷତା ବୃଦ୍ଧି କରାଯାଉଛି । ଶିଶୁ ହେଉଛନ୍ତି ଆମ ଭାରତର ଭବିଷ୍ୟତ । ସେମାନେ ଉତ୍ତମ ଶିକ୍ଷା ଲାଭ କଲେ ଭାରତର ଭବିଷ୍ୟତ ଅଧିକ ଉଜ୍ଜ୍ୱଳ ହେବାର ସହିତ ବିଶ୍ଵ ଦରବାରରେ ସମ୍ମାନଜନକ ଆସନରେ ଆସୀନ ହୋଇପାରିବ । ବିଦ୍ୟାଳୟକୁ ଶିଶୁ ଆସିବ , ଆନନ୍ଦଦାୟକ ପରିବେଶରେ ସେ ଅଧ୍ୟୟନ କରିବ ।
ଏଥିପାଇଁ କେବଳ ସରକାର ନୁହନ୍ତି ବିଦ୍ୟାଳୟ ଓ ଶିକ୍ଷକଙ୍କ ମଧ୍ୟ ଉଦ୍ୟମର ଆବଶ୍ୟକତା ରହିଛି। ଏହି ଦିଗରେ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଳ୍ପା ପରୀକ୍ଷାମୂଳକଭାବରେ ଏକ ନୂତନ ତଥା ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ମାସର ପ୍ରଥମ ଶନିବାର ଦିନକୁ ନୋ ବ୍ୟାଗ ଡେ ଭାବରେ ପାଳନ କରିଛନ୍ତି । ଆଜି ମାସର ପ୍ରଥମ ଶନିବାର ଥିବାରୁ ଏହିଦିନକୁ ନୋ ବ୍ୟାଗ ଡେ ଭାବରେ ବିଦ୍ୟାଳୟରେ ପାଳନ କରାଯାଇଥିଲା । ଆଜି ପିଲାମାନେ ଖାଲି ହାତରେ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟ ଆରମ୍ଭରେ ପ୍ରାର୍ଥନା ଓ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ଡ୍ରିଲ ଓ ଯୋଗ କରିଥିଲେ । ଏହା ପରେ ବିଭିନ୍ନ ବିଷୟକୁ ନେଇ ଦଳଗତ ଆଲୋଚନା ଓ ବକୃତାର ଆୟୋଜନ କରାଯାଇଥିଲା । ପ୍ରଶ୍ନୋତ୍ତର ମାଧ୍ୟମରେ ବଡ଼ ପିଲାମାନେ ତଳ ଶ୍ରେଣୀ ପିଲାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏକାଠି ମଧ୍ୟାହ୍ନ ଭୋଜନ କରି ସାରିବା ପରେ ବିଦ୍ୟାଳୟରେ ଥିବା ବିଭିନ୍ନ ଖେଳଣା ନେଇ ଖେଳିଥିଲେ । ଆଜିର ଦିନକୁ ନେଇ ପିଲାମାନଙ୍କର ମନରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଡଃ ପ୍ରଦୀପ କୁମାର ପଣ୍ଡା ଏହି ଅଭିନବ ପଦକ୍ଷେପ ବିଷୟରେ ଚିନ୍ତା କରି ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି । ତାଙ୍କ ମତରେ ଏହା ଶିଶୁମାନଙ୍କ ପୁସ୍ତକ ଜ୍ଞାନ ଓ ବାସ୍ତବ ଜୀବନର ବ୍ୟବହାର ମଧ୍ୟରେ ଥିବା ଦୂରତାକୁ ଦୂର କରିବା ସହିତ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ସହାୟକ ହୋଇ ପାରିବ ।ଘୋଷା ବିଦ୍ୟା ତଥା ପାଠ ପ୍ରତି ଥିବା ଚପରୁ ଶିଶୁଙ୍କୁ ମୁକ୍ତି ଦେଇପାରିବ । ତା’ର ମସ୍ତିଷ୍କ ଏହି ଆନନ୍ଦଦାୟକ ପରିବେଶରେ ଅଧିକ ଗ୍ରହଣଶୀଳ ହେବା ସହିତ ଶିକ୍ଷାକୁ ଗୋଟିଏ ନୂଆଁ ଦିଶା ଦେଖାଇବ । ପ୍ରକାଶ ଥାଉ କି ଡଃ ପ୍ରଦୀପ କୁମାର ପଣ୍ଡା ନିଜର ନିଷ୍ଠାପର କର୍ତ୍ତବ୍ୟ , ସକାରାତ୍ମକ ଚିନ୍ତାଧାରା , ପରିଶ୍ରମ , ସୃଜନଶୀଳତା , ଅଭିନବ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଓ ପ୍ରେରଣା ଦେବାରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ରହିଛି ।ସେ ଶିଶୁମାନଙ୍କ ପାଇଁ ଅନେକ କବିତା ରଚନା କରିବା ସହ ନୀତିଶିକ୍ଷା ସମ୍ମିଳିତ ଗଳ୍ପ ପୁସ୍ତକମାନ ମଧ୍ୟ ପ୍ରକାଶିତ କରିଛନ୍ତି । ଏଥିପାଇଁ ଗତବର୍ଷ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ଠାରୁ ” ଗୁରୁବ୍ରହ୍ମା “ସମ୍ମାନ ଲାଭ କରିଛନ୍ତି ।