Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ପନିପରିବା ଦର, ଦେଖାଯାଉଛି ଶୀତଳଭଣ୍ଡାରର ଅଭାବ

ଅତାବିରା : ବରଗଡ଼ ଜିଲା ଅତାବିରାରେ ପନିପରିବା ବଜାରରେ ନିଆଁ । ଗାଁ ଠୁ ନେଇ ସହର,ସବୁଠି ପରିବା ଦରକୁ ନେଇ ହା ହା କାର । ୮୦ ତଳକୁ ବଜାରରେ ପନିପରିବା ନାହିଁ । ଲଗାତାର ଭାବେ ବଢିଚାଲିଛି ପରିବା ଦର । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ହାଟକୁ ଆସୁଥିବା ଗ୍ରାହକ ପରିବା ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର ହେଉଛି । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ କାମ ଚଳେଇ ନେବା ଆଶାରେ ପାଏ କି ଅଧ କିଲୋ କିଣି ନେଉଛନ୍ତି ।
ଗତ କିଛି ଦିନ ହେବ ପରିବା ମାର୍କେଟର୍‌ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ଗତକାଲି ଯାହା ୬୦ ଥିଲା ଆଜି ୮୦ ପାର୍ । ଆଉ ଆଜି ଯାହା ୮୦ ଅଛି ତାହା ଆସନ୍ତାକାଲି ଯେ ସେଞ୍ଚୁରୀ ନ ମାରିବା କିଏ କହିବ ? ସୋମବାର ଅତାବିରା ସାପ୍ତାହିକ ବଜାର ରେ “ଧରିତ୍ରୀ ” ପକ୍ଷରୁ ସ୍ଥିତି ପରଖି ଥିଲୁ l ଟମାଟୋ 100/-,
ଝୁଡୁଙ୍ଗ 120/-ବାଇଗଣ 80/-, ଗାଜର 80/- କଲରା 100/-, ପୋଟଲ 80/-, କୁନ୍ଦୁରୁ 80/-, ବନ୍ଧା କୋବି 40/- ଫୁଲ କୋବି 120/-, ଅଦା 300/-, ରସୁଣ 220/-,କଞ୍ଚା ଲଙ୍କା 200/- ଆଦି ପରିବା କେଜି ପ୍ରତି ଦର ଥିଲା l
ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ଖବରକାଗଜ ଶିରୋନାମା ସାଜିଛି ପରିବା ଦର l ପୂର୍ବେ ପିଆଜ କିଣି ଖାଉଟି ଆଖିରୁ ପାଣି ଝରୁଥିଲା l ହେଲେ ଏବେ ଯେଉଁ ପରିବାରେ ହାତ ଦେବ ବିବେକ ଅଟକାଇ ଦେଉଛି, ପକେଟ ରେ ସେତିକି ଟଙ୍କା ଅଛି ତ ! ଆଉ ବିଲାତି ଅର୍ଥାତ ଟମାଟୋ କଥା ନ କହିଲେ ଭଲ l ଦିନ ଥିଲା ଯେଉଁ ଟମାଟୋ ଟ୍ରାକ୍ଟର ଟ୍ରଲି ରୁ ବଜାର ପ୍ରାଙ୍ଗଣରେ ପକାଇ ଚାଷୀ ଘରକୁ ଫେରିଯାଉଥିଲେ ଏବେ ସେହି ଟମାଟୋ କେଜି ପ୍ରତି 100/- ଟଙ୍କା ଉପରେ l
ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି । ଏପଟେ ଆମଦାନୀ ସ୍ୱାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ ଓ ସାଧାରଣ ଖାଉଟି । ଗୋଟେପଟେ ରାଜ୍ୟରେ ପନିପରିବାଦର ଆକାଶ ଛୁଆଁ ହୋଇଥିବାବେଳେ ଅନ୍ୟପଟେ ଆମ ରାଜ୍ୟର ବରଗଡ ଜିଲା ଅତାବିରାରେ ଅମଳ ପରିବାକୁ ସଂରକ୍ଷିତ କରି ରଖିବା ଲାଗି ସଙ୍କଟ ଦେଖାଦେଇଛି । ଓଡିଶାର ବରଗଡ ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା ହୋଇଥିବାବେଳେ ଏଠାରେ ଶୀତଳ ଭଣ୍ଡାରର ଅଭାବ ଦେଖାଯାଇଛି । ଯାଦ୍ୱାରା ଅମଳ ପରିବାକୁ ସୁରକ୍ଷିତ ରଖିବା ଚାଷୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି । ସଂରକ୍ଷଣ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀମାନେ ଅମଳ ପରିବାକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏପରିକି ବିଭିନ୍ନ ସମୟରେ ପରିବା ଦର ଏତେ ତଳକୁ ଖସିଯାଇଥାଏ ଯେ, ଚାଷୀ କେତେବେଳେ ପରିବାର କିଆରୀରେ ଟ୍ରାକ୍ଟର ମଡ଼ାଇ ଦିଏ ତ ଆଉ କେତେବେଳେ ଅମଳ ପରିବାକୁ ବଜାରରେ ଢ଼ାଳି ଦେଇ ଘରକୁ ଫେରିଥାଏ। କିନ୍ତୁ ଏଭଳି ଦିନ ଆସିଥାଏ, ଚାଷୀ ଯେଉଁ ପରିବାକୁ ଶସ୍ତାରେ ବିକି ଦେଇଥାନ୍ତି, କିଛିଦିନ ପରେ ସେହି ପରିବା ଦର ଆକାଶ ଛୁଆଁ ହୋଇପଡ଼େ ଏବଂ ଚାଷୀଙ୍କ ଲାଭ ସମ୍ପୃକ୍ତ ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଥାଏ। ବରଗଡ଼ ଜିଲା ଅତାବିରାରେ ବର୍ତ୍ତମାନ ଖାଉଟିଙ୍କୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡୁଛି l
କେବଳ ଗୃହିଣୀ କିମ୍ବା ସାଧାରଣ ଲୋକେ ନୁହେଁ ବରଂ
ହୋଟେଲ ବ୍ୟବସାୟୀ ବି ଏବେ ଚିନ୍ତାରେ । ହୋଟେଲରେ
ସର୍ବାଧିକ ବ୍ୟବହୃତ ଜିନିଷ ଟମାଟୋ, ଲଙ୍କା, ଅଦା, ରସୁଣଠୁ ନେଇ ପନିପରିବା ସବୁର ଦର ଦେଖୁଲେ ହୋଟେଲ ମାଲିକ କିଭଳି ବ୍ୟବସାୟ କରିବେ ସେନେଇ ଚିନ୍ତାରେ । ନିରାମିଷ ଭୋଜନ ପରସୁଥିବା ହୋଟେଲମାନେ ବେଶି ଦହଗଞ୍ଜ ହେଉଛନ୍ତି । ପରିବାର ଦରଦାମ ଦେଖୁ ହୋଟେଲ ମେନ୍ୟୁକୁ ସୀମିତ କରାଯାଇଥବା କହିଛନ୍ତି ହୋଟେଲ ମାଲିକ ଅନିଶ ଗୁପ୍ତା ।
ବାହାର ରାଜ୍ୟରୁ କମ ଆମଦାନୀ ଦରବୃଦ୍ଧିର ପ୍ରମୁଖ କାରଣ ହୋଇଥିବା ବେଳେ ପନିପରିବା ଉପରୁ ଦର କେବେ ଖସିବ ତାକୁ ଅନାଇ ବସିଛନ୍ତି ଗ୍ରାହକ ।
ସେମାନଙ୍କ ଯାହା କୁହନ୍ତି…………

ଧନ ଝଆମ ଅଞ୍ଚଳରେ ବହୁତ ଚାଷୀ ଅଛନ୍ତି l ହେଲେ ରାଜଧାନୀ ଅଞ୍ଚଳରେ ଦର ବଢିଲେ ଏଠାରେ ବି ବଢୁଛି l ସବୁ କଣ୍ଟ୍ରୋଲ ଭୁବନେଶ୍ୱର ରେ l ଏଠାରେ ଶୀତଲଭଣ୍ଡାର ନାହିଁ l ତାହାର ପ୍ରଭାବ ଆମେ ସାଧାରଣ ଖାଉଟି ଭୋଗୁଛୁଁ l ପରିବା ଦର ଶୁଣିଲେ ଝାଳ ଦେଇଦେଉଛି l ମଧ୍ୟବିତଶ୍ରେଣୀ ଦୁଃଖ ପାଉଛୁ l
*ପୁର୍ଣ୍ଵାଚନ୍ଦ୍ର ମିଶ୍ର, ବରିଷ୍ଠ ନାଗରିକ ତଥା ଖାଉଟି ଅତାବିରା*
ପରିବା ଆକାଶ ଛୁଆଁ ଆଏଁ lବହୁତ ବର୍ଷର ଇତିହାସ ଆଏଁ ପରିବା ଦର l ପାଏ ଅଧା କେଜି ହିସାବରେ କିଣିବାକୁ ପଡୁଛି l ପାତଳଘଣ୍ଟା (ଟମାଟୋ ) କିଣିବାରେ ଦରଦ ଲାଗୁଛି l ପରିବା ଅପେକ୍ଷା ମାଛ ମାଂସ ଭଲ l ନିଜ ନିଜ ବାଡ଼ିରେ ସଭିଏଁ ବିଭିନ୍ନ ପରିବା ଲଗାନ୍ତୁ l ଶୀତଳଭଣ୍ଡାର ନିହାତି ଆବଶ୍ୟକ l

100 ଟଙ୍କା ଉପରେ ପରିବା l ଚାଷୀ ପ୍ରତିକୂଳ ପାଣିପାଗ ଯୋଗୁଁ ଠିକ ସମୟରେ ପରିବା ଉତ୍ପାଦନ କରିପାରୁ ନାହିଁ l ଶୀତଳଭଣ୍ଡାର ନ ଥିବାରୁ ଚାଷୀ ସର୍ବସାନ୍ତ ହେଉଛନ୍ତି l ଚାଷୀ ଠାରୁ ବ୍ୟବସାୟୀ ମାଛଶାଗ ଡରରେ ପରିବା କିଣି ଚଢ଼ା ଦରରେ ବିକ୍ରି କରୁଛନ୍ତି ଯାହାର ସିଧାସଳଖ ପ୍ରଭାବ ଖାଉଟି ଉପରେ ପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ